Latest Odisha News

BREAKING NEWS

ଆସିବ ନୂଆ ନୀତି, ଦିଲ୍ଲୀବାସୀ ଫେରି ପାଇବେ ପୁରୁଣା ଗାଡି

ନୂଆଦିଲ୍ଲୀ: ପରିବର୍ତ୍ତନ ହେଲା ଦିଲ୍ଲୀ ସରକାର ଆଭିମୁଖ୍ୟ। ପେଟ୍ରୋଲ ପମ୍ପରେ ପୁରୁଣା ଗାଡ଼ିକୁ ପେଟ୍ରୋଲ ଓ ଡିଜେଲ ଦିଆ ନଯିବା ଓ ତାକୁ ଜବତ କରାଯିବା ଘଟଣାକୁ ନେଇ ବିବାଦ ଦେଖାଦେବା ପରେ ଦିଲ୍ଲୀ ସରକାର ନୂଆ ଘୋଷଣା କରିଛନ୍ତି। ଦିଲ୍ଲୀରେ ୧୦ ରୁ ୧୫ ବର୍ଷ ପୁରୁଣା ଯାନବାହନ ଜବତ ଅଭିଯାନ ଉପରେ ସରକାର ବର୍ତ୍ତମାନ ରୋକ ଲଗାଇଛନ୍ତି। ଦିଲ୍ଲୀ ସରକାର କମିଶନ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (CAQM)କୁ ଏକ ଚିଠି ଲେଖି କହିଛନ୍ତି ଯେ ଯାନବାହନ ଜବତ କରିବା ପାଇଁ ତିଆରି ହୋଇଥିବା ନିୟମ ଠିକ୍ ନୁହେଁ। ସରକାରଙ୍କ ଚିଠି ଏବଂ ସିରସା ବିବୃତ୍ତିରୁ ଏହା ସ୍ପଷ୍ଟ ଯେ ଏବେ ଦିଲ୍ଲୀରେ ପୁରୁଣା ଯାନବାହନ ଉପରେ ପ୍ରତିବନ୍ଧକ ଲଗାଇବା ଅଭିଯାନ ବନ୍ଦ ହୋଇଯିବ।

ପୁରୁଣା ଗାଡି ପାଇଁ ସରକାର ଏକ ନୂଆ ନୀତି ଆଣିବେ ବୋଲି ଆଜି ସୂଚନା ଦେଇଛନ୍ତି ଦିଲ୍ଲୀର ପରିବେଶ ମନ୍ତ୍ରୀ ମନ୍‌ଜିନ୍ଦର ସିଂହ ସିର୍‌ସା । ସେ କହିଛନ୍ତି ଦିଲ୍ଲୀର ପରିବେଶକୁ କ୍ଷତି ପହଞ୍ଚାଇବାକୁ ଦିଆଯିବ ନାହିଁ କିମ୍ବା ଲୋକଙ୍କ ପୁରୁଣା ଗାଡିକୁ ଜବତ କରିବାକୁ ଅନୁମତି ଦିଆଯିବ ନାହିଁ । ଏଥିପୂର୍ବରୁ ପରିବେଶ ମନ୍ତ୍ରୀ ଦିଲ୍ଲୀର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନଙ୍କୁ ଚିଠି ଲେଖିଥିଲେ । ସେଥିରେ ପୁରୁଣା ଗାଡି ଜବତ ସଂକ୍ରାନ୍ତ ଅଦେଶନାମା ନଂ-୮୯କୁ ତତ୍କାଳ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ।

ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳରେ ଯେପର୍ଯ୍ୟନ୍ତ ଅଟୋମେଟିକ ନମ୍ବର ପ୍ଲେଟ ରିକଗ୍‌ନିସନ (ଏଏନ୍‌ପିଆର) ବ୍ୟବସ୍ଥା ଲାଗୁ ନ ହୋଇଛି ସେପର୍ଯ୍ୟନ୍ତ ଉକ୍ତ ଆଦେଶ ସ୍ଥଗିତ ରଖିବାକୁ ଚିଠିରେ ଦର୍ଶାଯାଇଥିଲା । ଆଦେଶ ନଂ-୮୯ ଅନୁସାରେ ଦିଲ୍ଲୀରେ ୧୫ ବର୍ଷରୁ ଅଧିକ ପେଟ୍ରୋଲ ଓ ୧୦ବର୍ଷରୁ ଅଧିକ ଡିଜେଲ ଗାଡିକୁ ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ କୁହାଯାଇଥିଲା । ସେହିଭଳି ଏଏନ୍‌ପିଆର ଦ୍ୱାରା ପୁରୁଣା ଗାଡି ଚିହ୍ନଟ କରାଯାଇ ତାକୁ ଜବତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଯାହାକୁ ନେଇ ପୁରୁଣା ଗାଡି ମାଲିକଙ୍କ ଚିନ୍ତା ବଢ଼ିଯାଇଥିଲା । ଏଭଳି ଆଦେଶକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଚିଠିରେ ଆହୁରି ମଧ୍ୟ କୁହାଯାଇଛି କି ଏଏନ୍‌ପିଆର ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ରହିଛି । କ୍ୟାମେରା ପ୍ଲେସମେଣ୍ଟ, ଡାଟା ଇଣ୍ଟିଗ୍ରେସନ ଓ ପଡୋଶୀ ରାଜ୍ୟ ସହିତ ସମନ୍ୱୟର ଅଭାବ ଭଳି ସମସ୍ୟା ରହିଛି । ଦିଲ୍ଲୀରେ ଏହି ନିୟମ ଲାଗୁ କରାଗଲେ ଲୋକମାନେ ଗୁରୁଗ୍ରାମ ଓ ନୋଏଡା ଭଳି ଅଞ୍ଚଳକୁ ଯାଇ ଗାଡିରେ ଇନ୍ଧନ ପକାଇବେ । ଫଳରେ ଅବୈଧ ଇନ୍ଧନ କାରବାର ବୃଦ୍ଧି ପାଇବ ।

ଦିଲ୍ଲୀ ସାଂସଦ ପରଭେଶ ବର୍ମା ମଧ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସମାଲୋଚନା କରିଥିଲେ । କହିଥିଲେ କୌଣସି ଯାନବାହନକୁ ବୟସ ନୁହେଁ, ବରଂ ତାର ପ୍ରଦୂଷଣ ମାତ୍ରାକୁ ଦେଖି ନିଷିଦ୍ଧ କରାଯିବା ଉଚିତ । ସେହିଭଳି ପେଟ୍ରୋଲ ପମ୍ପ ଆସୋସିଏସନ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ହାଇକୋର୍ଟ ଏହା ଉପରେ ଦିଲ୍ଲୀ ସରକାରଙ୍କୁ ଜବାବ ଦାଖଲ କରିବା ଲାଗି ନୋଟିସ ମଧ୍ୟ ଜାରି କରିଛନ୍ତି ।

 

Comments are closed.