Latest Odisha News

କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁରେ ଚାଲିଗଲା ପ୍ରସୂତିଙ୍କ ଜୀବନ

ଭୁବନଶ୍ୱର:ରାଜଧାନୀରେ ବଢୁଛି ଡେଙ୍ଗୁର ପ୍ରକୋପ । ଇତିମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତିଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ମିଳିଥିବା ସୂଚନା ଅନୁସାରେ, ମୃତା ମହିଳାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକ ଅଞ୍ଚଳରେ । ସେ ଗର୍ଭବତୀ ଥିଲେ ଏବଂ  ଜୁଲାଇ ୨୩ ତାରିଖ ଦିନ ସେ କ୍ୟାପିଟାଲ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଅସ୍ତ୍ରୋପଚାର ପରେ  ସେ ଏକ ସନ୍ତାନ ଜନ୍ମ ଦେଇଥିଲେ । ହେଲେ ଚାରି ଦିନ ପରେ ସେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ପ୍ରବଳ ଜ୍ୱର ହୋଇଥିଲା ।

କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟର ଡା.ଲକ୍ଷ୍ମୀଧର ସାହୁଙ୍କ କହିବା ଅନୁଯାୟୀ, ପ୍ରସବ ପୂର୍ବରୁ ତାଙ୍କର ପରୀକ୍ଷାରେ ଡେଙ୍ଗୁ ନ ଥିଲା । ପ୍ରସବ ପରେ ତାଙ୍କର ଜ୍ୱର ହୋଇଥିଲା । ଜୁଲାଇ ୨୭ ତାରିଖରେ ତାଙ୍କର ରକ୍ତ ନମୂନା ପୁଣି ଥରେ ପରୀକ୍ଷା ପାଇଁ ଯାଇଥିଲା । ସେତେବେଳେ ଡେଙ୍ଗୁ ପଜିଟିଭ ଥିବା ଜଣା ପଡିଥିଲା । ଡା. ସାହୁଙ୍କ କହିବା ଅନୁଯାୟୀ, ତାଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆ ଯାଇଥିଲା । ଡାକ୍ତରମାନଙ୍କର ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି ।ବର୍ତ୍ତମାନ ନବଜାତ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି ।

ସୂଚନାଥାଉ କି, ରାଜଧାନରେ ୫୦୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ସହରରେ ୧୫ଟି ଡେଙ୍ଗୁ ପ୍ରବଣ ସ୍ଥାନ ଚିହ୍ନଟ ହୋଇଛି । ପୂର୍ବରୁ ଜଣେ ଡେଙ୍ଗୁ ରୋଗୀଙ୍କର ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ତେବେ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ମତ୍ୟୁ ଡେଙ୍ଗୁ ଜନିତ କି  ନୁହେଁ ତାହା ସ୍ପଷ୍ଟ କରାଯାଇ ନାହିଁ ।

Comments are closed.