Latest Odisha News

BREAKING NEWS

‘୪୫ ବର୍ଷ ଧରି ଖୋଲା ଯାଇ ନ ଥିବା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତୁରନ୍ତ ଖୋଲ, ରତ୍ନାଳଙ୍କାର ଯାଞ୍ଚ କର’

ପୁରୀ:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଉ । ବହୁମୂଲ୍ୟ ଅଳଙ୍କାରର ଗଣତି କରାଯାଉ । ଏଥି ସହ ମରାମତି ମଧ୍ୟ କରାଯାଉ ।  ଜୋର ଧରିଛି ଏମିତି ଦାବି  । ହେଲେ ରାଜ୍ୟ ସରକାର  ନୀରବ। ଏ ନେଇ ଆଜି ଦୁଇଦୁଇଟି ଅନୁଷ୍ଠାନ ତରଫରୁ ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଯାଞ୍ଚ କରିବା ନେଇ ବିଶାଳ ପ୍ରତିବାଦ ସଭା କରାଯାଇଛି।

ଆଜି ଭାରତୀୟ ବିକାଶ ପରିଷଦ ଓ  ଶ୍ରୀଜଗନ୍ନାଥ ସେନା  ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ହୋଇଛି ପ୍ରତିବାଦ ସଭା। ପୁରୀ ରେଳ ଷ୍ଟେସନରୁ  ଶତାଧିକ କର୍ମୀ ପଦଯାତ୍ରା କରି ରତ୍ନଭଣ୍ଡାର ଖୋଲିବା ଦାବି ଓ ସରକାରଙ୍କ ଷଡଯନ୍ତ୍ର ବିରୁଦ୍ଧରେ ନାରାବାଜି ଦେଇଛନ୍ତି। ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଅଭିଯୋଗ ଯେ,   ୧୯୭୮  ମସିହାରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାରରୁ ଦୁର୍ମୁଲ୍ୟ ଅଳଙ୍କାର ଗଣତି କରାଯାଇଥିବା ବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ରତ୍ନ ଅଳଙ୍କାର ଯାଞ୍ଚ ହୋଇନାହିଁ।

ପ୍ରତ୍ୟକ ତିନିବର୍ଷରେ ଥରେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବାର ନିୟମ ରହିଥିବା ବେଳେ ୨୩ ବର୍ଷର ସ୍ଥିର ସରକାର ଏହାକୁ ଅବମାନନା କରିଛନ୍ତି। ହାଇକୋର୍ଟ ଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାର ଜନସାଧାରଣଙ୍କୁ ଭୂଆଁ ବୁଲାଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସରକାର ରତ୍ନଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ କରିବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଛି।

ଅନ୍ୟପକ୍ଷେ ରତ୍ନଭଣ୍ଡାର ଖୋଲିବାକୁ ନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଶ୍ରୀଜଗନ୍ନାଥ ସେନା ଆବାହକ ଚିରାଚରିତ ଢଙ୍ଗରେ ସରକାରଙ୍କୁ ନିଶାନା କରିଛନ୍ତି। ସେପଟେ ୨୪ ଘଣ୍ଟା ମଧ୍ୟରେ ରତ୍ନଭଣ୍ଡାର ଖୋଲାନଗଲେ ଗଜପତି ମହାରାଜାଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଭାରତୀୟ ବିକାଶ ପରିଷଦର ସଭାପତି ଚେତାବନୀ ଦେଇଛନ୍ତି।

ଏହା  ଭିତରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦୁଇଦୁଇଟି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ରହିଥିବା ବେଳେ ସରକାର ପୁଣି ସମୟ ନେବେ ବୋଲି ବୁଦ୍ଧିଜୀବିମାନେ  ଅନୁମାନ କରୁଛନ୍ତି।  ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ରତ୍ନଭଣ୍ଡାର ଖୋଲାଯିବା ଆବଶ୍ୟକ ବୋଲି କହିଥିବା ବେଳେ ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆବେଦନ ଉପରେ କୌଣସି ନୋଟିସ ପାଇନଥିବା କଥା କହି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି।

Leave A Reply

Your email address will not be published.