Latest Odisha News

ଅର୍ଥ ଅଭାବରୁ ହରାଇଥିଲେ ପୁଅ; ଏବେ ୨୨ହଜାର ମହିଳାଙ୍କୁ ଦେଉଛନ୍ତି ରୋଜଗାର

ରାଜସ୍ଥାନ: ରାଜସ୍ଥାନ ବାଡ଼ମେର ଜିଲ୍ଲାର ଏକ ଛୋଟ ଗାଁ ରାବତସର । ସେହି ଗାଁର ବୋହୁ ୩୩ ବର୍ଷିୟ ଫେସନ ଡିଜାଇନର ରୁମାଦେବୀଙ୍କ ଜୀବନ ଅନେକ ରୋମାଞ୍ଚରେ ଭରା । ୫ବର୍ଷ ବୟସରେ ମାଙ୍କୁ ହରାଇଥିବା ରୁମା ନିଜ ପିତାଙ୍କ ଦ୍ୱିତୀୟ ବିବାହ ପରେ ଆଇଙ୍କ ପାଖରେ ରହି ବଡ଼ ହୋଇଥିଲେ । ଆଇଙ୍କ ନିକଟରେ ରହି ସେ ରୋଷେଇ ଏବଂ ସିଲେଇ ଶିକ୍ଷା କରିଥିଲେ । କିନ୍ତୁ ଆଇଙ୍କ ଘରର ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲା । ତେଣୁ ରୁମା ପଞ୍ଚମ ଯାଏଁ ପଢି ଆଉ ଆଗକୁ ପଢ଼ିପାରିନଥିଲେ ।

ଗାଁର ପରମ୍ପରା ଅନୁସାରେ ମାତ୍ର ୧୭ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରୁମା । କିନ୍ତୁ ବିବାହ ପରେ ମଧ୍ୟ ତାଙ୍କର ଦୁଃଖ କମିନଥିଲା । ୨୦୦୮ରେ ରୁମା ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଲେ । କିନ୍ତୁ ଜନ୍ମର ୫ଦିନ ପରେ ଆର୍ଥିକ ସଙ୍କଟ କାରଣରୁ ଚିକିତ୍ସା ସେବା ଦେଇନପାରି ପୁଅକୁ ସବୁଦିନ ପାଇଁ ହରାଇ ବସିଲେ ରୁମା । ଶେଷରେ ନିଷ୍ପତ୍ତି ନେଲେ ସେ ନିଜେ କିଛି କାମ କରି ପରିବାରକୁ ସହଯୋଗ କରିବେ । ମଜୁରୀ କାମ କରି ସେ କିଛି କିଛି ସଞ୍ଚୟ କଲେ । ସେହି ପଇସାରେ କିଣିଲେ ଏକ ପୁରୁଣା ସିଲେଇ ମେସିନ ।

ରାଜସ୍ଥାନୀ ପାରମ୍ପରିକ ପୋଷାକକୁ ଆଧୁନିକତାର ସ୍ପର୍ଶ ଦେଇ ନୂଆ ଡିଜାଇନର ପୋଷାକ ତିଆରି କଲେ । ଗାଁ ଆଖପାଖର ବୁଲା ବିକାଳୀ ମାନେ ରୁମାଙ୍କ ପୋଷାକର ବିକ୍ରି କରି ଏକ ପ୍ରକାର ପ୍ରଚାର କରାଇବାରେ ସହାୟକ ହେଲେ । ୨୦୧୨ରେ ତାଙ୍କୁ ୫ଟି ବଡ଼ ସଂସ୍ଥା ଅଧିକ ପୋଷାକ ସିଲେଇ କରି ଦେବାକୁ ଅର୍ଡର ଦେଲେ । ହାତକୁ କିଛି ଅର୍ଥ ଆସିବା ପରେ ସେ ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ସହିତ କିଣିଲେ କିଛି ନୂଆ ମେସିନ। ଗ୍ରାମୀଣ ବିକାଶ ଚେତନା ସଙ୍ଘ ସହିତ ମିଶି ସେ ନୂଆ ଫେସନ ଡିଜାଇନକୁ ନେଇ ପୋଷାକ ପ୍ରସ୍ତୁତ କଲେ ଓ ସେସବୁ ଉଚ୍ଚ ଦରରେ ବଡ଼ କମ୍ପାନୀ ମାନେ କିଣିନେଇଯାଉଥିଲେ ।

୨୦୧୮ରେ ରୁମାଦେବୀ ପାଇଲେ ସମ୍ମାନଜନକ ନାରୀ ଶକ୍ତି ପୁରସ୍କାର । ତାଙ୍କର ନିଷ୍ଠା ଓ ଆଗ୍ରହ କାରଣରୁ ଯେଉଁ ଉଦ୍ୟୋଗ ମୁଣ୍ଡ ଟେକିଲା ତାହା ପ୍ରକାରାନ୍ତରେ ୨୨ହଜାର ମହିଳାଙ୍କୁ ଦେଇପାରିଲା ଜୀବିକା । ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀଶକ୍ତି ପୁରସ୍କାର ଦେବା ଅବସରରେ ରୁମା ଦେବୀଙ୍କ ଉଦ୍ୟୋଗୀ ଭାବନା ଓ ନିଷ୍ଠାକୁ ପ୍ରଶଂସା କରିଥିଲେ ।

 

Leave A Reply

Your email address will not be published.