Latest Odisha News

BREAKING NEWS

ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଢିଙ୍କିଆ ପଞ୍ଚାୟତରେ ଶେଷ ପର୍ଯ୍ୟାୟରେ ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ

ପାରାଦୀପ : ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଢିଙ୍କିଆ ପଞ୍ଚାୟତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପାନବରଜ ମାପଚୁପ ଓ ଭଙ୍ଗା କାର୍ଯ୍ୟ । ଡିସେମ୍ବର ମାସ ୨୨ ତାରିଖରେ ଗୋବିନ୍ଦପୁର ଗାଁରୁ ରଞ୍ଜନ ବେହେରାଙ୍କ ପ୍ରଥମ ପାନବରଜ ଭଙ୍ଗା ଯାଇଥିଲା । ଏହାପରେ ପର୍ଯ୍ୟାୟକ୍ରମେ ପାଟଣା ଓ ମାହାଳ ଗାଁରେ ପାନବରଜ ମାପଚୁପ ଓ ଭଙ୍ଗା ଯାଇଥିଲା । ଶେଷରେ ଢ଼ିଙ୍କିଆ ଗାଁରେ ଆରମ୍ଭ ହୋଇଥିବା ପାନ ବରଜ ଭଙ୍ଗା କାର୍ଯ୍ୟ ଓ ମାପଚୁପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଢିଙ୍କିଆ ଗାଁରେ ସର୍ବାଧିକ ୨୭୨ ଜଣ ହିତାଧିକାରୀଙ୍କ ପାନବରଜ ମାପଚୁପ କରାଯାଇଥିବା ବେଳେ, ୨୬୧ଟି ପାନବରଜ ଭଙ୍ଗା ଯାଇଛି । ସେଥିରୁ ୨୧୮ ଜଣଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିଭଳି ଗୋବିନ୍ଦପୁର ଗାଁରେ ୧୦୨ ଜଣ ହିତାଧିକାରୀଙ୍କ ୯୬ଟି ପାନବରଜ ଭଙ୍ଗା ଯାଇଛି । ସେଥି ମଧ୍ୟରୁ ୯୨ ଜଣଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିଭଳି ମାହାଳ ରାଜସ୍ବ ଗାଁରେ ୨୬୧ ଜଣ ହିତାଧିକାରୀଙ୍କ ୨୫୧ଟି ପାନବରଜ ଭଙ୍ଗା ଯାଇଥିବା ବେଳେ, ୨୩୯ ଜଣଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ପାଟଣା ଗାଁରେ ୨୨୫ ଜଣ ହିତାଧିକାରୀଙ୍କ ୨୧୪ଟି ପାନବରଜ ଭଙ୍ଗା ଯାଇଛି । ସେଥିରୁ ୧୯୦ ଜଣଙ୍କୁ କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଢିଙ୍କିଆ ପଞ୍ଚାୟତରେ ମୋଟାମୋଟି ଭାବେ ୮୬୦ ଜଣ ହିତାଧିକାରୀଙ୍କ ପାନବରଜ ମାପଚୁପ କରାଯାଇଥିବା ବେଳେ, ସେଥିରୁ ୮୨୨ଟି ପାନବରଜ ଭଙ୍ଗା ଯାଇଛି । ଆଜି ସୁଦ୍ଧା ମୋଟ୍ ୭୫୭ ଜଣଙ୍କୁ ପ୍ରାୟ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଢିଙ୍କିଆ ଗାଁରେ କିଛି ପାନବରଜ ମାପଚୁପ ନେଇ ବିବାଦ ଥିବାରୁ ଏହାକୁ ବାଦ ଦିଆଯାଇଛି । ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି । ଅପରପକ୍ଷରେ ଗୋବିନ୍ଦପୁର ଗ୍ରାମରେ ଘରୋଇ ହତାରେ ଥିବା ଗଛ ଚିହ୍ନଟ ଓ ଗଣତି ପ୍ରକ୍ରିୟା ଜାରି ରହିଥିବା ବେଳେ ଇଡକୋ ପକ୍ଷରୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି ।

Comments are closed.