Latest Odisha News

ଦିଲ୍ଲୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୨ ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଆତଙ୍କ । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଡେଙ୍ଗୁରେ ଗଲାଣି ଦୁଇ ଜଣଙ୍କ ଜୀବନ । ଲୋକ ନାୟକ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସଫଦରଜଙ୍ଗ ହସ୍ପିଟାଲରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୬୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ପୂର୍ବ ଦିଲ୍ଲୀର ଗାନ୍ଧୀ ନଗରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ହଠାତ୍ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତ ୨୭ ଅଗଷ୍ଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତ ସେପ୍ଟେମ୍ବର ୮ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବାନୁସାରେ, ସଂକ୍ରମଣର ଗମ୍ଭୀରତା କମ୍ ରହିଛି । କିନ୍ତୁ ମୌସୁମୀ ଋତୁରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମାମଲା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଦିଲ୍ଲୀରେ ୯,୨୬୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଚଳିତବର୍ଷ ଏପର୍ଯ୍ୟନ୍ତ ରାଜଧାନୀରେ ଡେଙ୍ଗୁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

 

Comments are closed.