Latest Odisha News

ରାଜଧାନୀରେ ଡେଙ୍ଗୁ ଶତକ ପାର୍

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଡେଙ୍ଗୁ । ରାଜ୍ୟରେ ଡେଙ୍ଗୁ ୫୦୦ ପାର୍ କରି ଉପରମୁହାଁ ହୋଇଥିବା ବେଳେ ଏବେ ରାଜଧାନୀରେ ୧୦୦ ପାର୍ କଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ।

ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୯୩ ନମୁନା ପରୀକ୍ଷଣ ହୋଇଥିବାବେଳେ ଏହା ମଧ୍ୟରୁ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ରେ ପହଞ୍ଚିଛି । ସେପଟେ ଜାନୁଆରୀରୁ ଜୁଲାଇ ୧୫ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ପ୍ରାୟ ୩୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରୁ ୨ଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଦୈନିକ ହସ୍ପିଟାଲକୁ ୨୦୦ରୁ ୩୦୦ ଥଣ୍ଡା ଜ୍ବର ରୋଗୀ ଆସୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ରୋଗୀଙ୍କ ମଧ୍ୟରେ ଡେଙ୍ଗୁ ଲକ୍ଷଣ ରହୁଥିବା ସେ ସ୍ପଷ୍ଟ କରୁଛନ୍ତି ।

ସେପଟେ ବର୍ଷାଦିନ ଆରମ୍ଭ ହେବା ପରେ ସହରରେ ମଶାଙ୍କ ଉପଦ୍ରବ ବଢାଇଥିବାରୁ ଏହାର ପ୍ରତିକାର ବୁସ କଟିଂ, ମଶା ତେଲ ସିଞ୍ଚନ ଆଦି କାର୍ଯ୍ୟ ଆରମ୍ଭ ହୋଇଛି। ଜୁଲାଇ ୨୦ରୁ ସହରରେ ଫଗିଂ ଆରମ୍ଭ ହେବ ବୋଲି ବିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ୭ଦିନରେ ଥରେ ଘର ଆଖପାଖ ସଫା ରଖିବା ଓ ପାଣିକୁ ଫୁଟାଇ ପିଇବାକୁ ବିଏମସି ସ୍ବାସ୍ଥ୍ୟ ଅଧିକାରୀ ପରାମର୍ଶ ଦେଇଛନ୍ତି।

Comments are closed.