Latest Odisha News

ଉପରମୁହାଁ ଡେଙ୍ଗୁ, ଡରାଇଲାଣି ସ୍କ୍ରବ୍ ଟାଇଫସ୍‌, ମଙ୍କିପକ୍ସ

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି ଡେଙ୍ଗୁ । ଏଯାବତ ୫ ହଜାର ଟପିଲାଣି । ସେପଟେ ମୁଣ୍ଡ ଟେକିଲାଣି ମଙ୍କିପକ୍ସ ଆଉ ସ୍କ୍ରବ ଟାଇଫସ୍ । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ମଙ୍କିପକ୍ସ ଓ ବାର୍ଡଫ୍ଲୁ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଏଯାବତ୍ ୫୧୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ହେଲେ ଡେଙ୍ଗୁରେ ମୃତ୍ୟୁ ନେଇ ସରକାରୀ ଭାବେ କୌଣସି ତଥ୍ୟ ଆସିନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ଏବେ ରାଜ୍ୟରେ ଡରାଉଛି ମଙ୍କିପକ୍ସ ଓ ନୂଆ କରି ମୁଣ୍ଡ ଟେକୁଥିବା ସ୍କ୍ରବ୍ ଟାଇଫସ୍‌ । ବରଗଡ଼ ସ୍କ୍ରବ୍ ଟାଇଫସ୍‌ରେ ଏଯାବତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହେଲେ ମୃତ୍ୟୁ ଏବେ ବି ଅସ୍ପଷ୍ଟ ଅଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଅନ୍ୟପକ୍ଷରେ ଏବେ କେନ୍ଦ୍ରାପଡ଼ା ଓ ପୁରୀରେ ବାର୍ଡ ଫ୍ଲୁ ଅଞ୍ଚଳରେ କୁକୁଡ଼ା କଲିଂ ସରିଛି । ଯାଜପୁର ଓ କଟକର କିଛି ଅଞ୍ଚଳରେ କଲିଂ ଆରମ୍ଭ ହୋଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ତେବେ ରାଜ୍ୟରେ ବାର୍ଡ ଫ୍ଲୁର ପାଦୁର୍ଭାବ ସେତେଟା ନଥିଲେ ମଧ୍ୟ ଯେଉଁ ଯେଉଁ ଅଞ୍ଚଳରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଠାରେ କୁକୁଡ଼ା ଓ ଅଣ୍ଡା ନଖାଇବାକୁ ପରାମର୍ଶ ଜାରି କରାଯାଇଛି । ସେହିପରି ରାଜ୍ୟରେ ମଙ୍କିପକ୍ସ ଗୋଟିଏ ଚିହ୍ନଟ ହୋଇଥିବା ବେଳେ ଏନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି ଏବଂ ନଜର ମଧ୍ୟ ରଖାଯାଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.