Latest Odisha News

BREAKING NEWS

ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ୩୦ଟି ଜିଲ୍ଲାର ୪୦ଟି କେନ୍ଦ୍ରରେ ନମୁନା ପରୀକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏବେ ସୁଦ୍ଧା ୪୯ ହଜାର ୪୮୮ ଜଣଙ୍କ ଡେଙ୍ଗୁ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ହଜାର ୩୨୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତବର୍ଷ ପ୍ରାୟ ୨୧ ହଜାର ନମୁନା ପରୀକ୍ଷା କରାଯାଇଥିଲା। ତେଣୁ ଚଳିତ ବର୍ଷ ପରୀକ୍ଷା ସଂଖ୍ୟା ଗତବର୍ଷ ତୁଳନାରେ ଦୁଇଗୁଣା ଅଧିକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଡିସ ମଶା ଦ୍ବାରା ହେଉଥିବା ଏହି ଜ୍ୱରକୁ ରୋକିବା ପାଇଁ ରାଜ୍ୟର ୩୦ଟି ଜିଲ୍ଲାର ୪୦ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି।

ଡେଙ୍ଗୁ ଜ୍ୱରର ହୋଇଛି ବୋଲି ସୁନିଶ୍ଚିତ ହେବା ପାଇଁ ଏଲିସା ଟେଷ୍ଟ୍ କିଟ୍ ଦ୍ୱାରା ସେରୋଲୋଜିକାଲ୍ ଡାଇଗ୍ନୋଷ୍ଟିକ୍ ସଠିକ୍ ପଦ୍ଧତି ବୋଲି ସେ କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୯୦ ପ୍ରତିଶତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି।

ରାଜଧାନୀରେ ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ନୟାପଲ୍ଲୀ, ଭୀମଟାଙ୍ଗୀ, ୟୁନିଟ୍ ୯ ଓ ୟୁନିଟ୍ ୬ରେ ଡେଙ୍ଗୁ ବ୍ୟାପିଛି। କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗର ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ ଖୋଲାଯାଇଛି।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଆଇଆରସି ଭିଲେଜ ହସ୍ପିଟାଲରେ ଆଉ ଦୁଇଟି ପରୀକ୍ଷା କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଛି ଏବଂ ଚଳିତ ସପ୍ତାହରୁ ସେଗୁଡ଼ିକ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି।

ସେପଟେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ‘ଘର ଘର ସମ୍ପର୍କ ଅଭିଯାନ’ ମାଧ୍ୟମରେ ବସ୍ତିବାସିନ୍ଦାଙ୍କୁ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ମଶା ବଂଶ ବୃଦ୍ଧି କରୁଥିବା ସ୍ଥାନକୁ ମଧ୍ୟ ନଷ୍ଟ କରି ଦିଆଯାଉଛି।

Comments are closed.