Latest Odisha News

ଅକ୍ସିଜେନ୍ ନ ମିଳିବାରୁ କୋଭିଡ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଶୁକ୍ରବାର ଦିନ ଚିକିତ୍ସାରେ ବିଳମ୍ବ ହେତୁ କୋଭିଡ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ, ପଙ୍କଜ ବେହେରା ନାମକ ଜଣେ ରୋଗୀଙ୍କୁ ଠିକ୍ ସମୟରେ ଅମ୍ଳଜାନ ଯୋଗାଇ ନ ଦେଇଥିବାରୁ ହସ୍ପିଟାଲ ବେଡରେ ଯନ୍ତ୍ରଣାରେ ଝଟପଟ ହେବା ସହ ତାଙ୍କର ମୃତ୍ୟୁ ଘଟିଥିଲା ।

ଅବସରପ୍ରାପ୍ତ ବ୍ରହ୍ମପୁର ବିକାଶ ପ୍ରାଧିକରଣ (ବିଡିଏ) ଅଧିକାରୀ ତଥା ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲର ରାଜୀବ ନାଗର ବାସିନ୍ଦା ଏହି ବ୍ୟକ୍ତି ଜଣକ ଗତ ଦୁଇ ଦିନ ଧରି ଜ୍ୱରରେ ପୀଡିତ ଥିଲେ। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାର ଜ୍ୱର କ୍ଲିନିକକୁ ନିଆଯାଇଥିଲା ଏବଂ ପ୍ରୋଟୋକଲ ଅନୁଯାୟୀ ଉପସ୍ଥିତ ଡାକ୍ତର ତାଙ୍କର କୋଭିଡ ଟେଷ୍ଟ କରାଇବାକୁ କହିଥିଲେ ।

ପରେ ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ସହରର ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜରେ ଥିବା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ୨କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ତାଙ୍କୁ ସେଠାରେ କୌଣସି ଡାକ୍ତରଙ୍କ ଚିକିତ୍ସା କିମ୍ବା ଅମ୍ଳଜାନ ସହାୟତା ଯୋଗାଇ ଦିଆଯାଇ ନଥିଲା ବୋଲି ଅଭିଯୋଗ ହୋଇଛି ।

ତେବେ ଡାକ୍ତର ମାନେ ଆସିବା ପୂର୍ବରୁ ବାପାଙ୍କର ମୃତୁ୍ୟ ହୋଇଯାଇଥିବା ନେଇ ତାଙ୍କ ପୁଅ କିଶୋର ଅଭିଯୋଗ କରି କହିଛନ୍ତି । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed.