Latest Odisha News

BREAKING NEWS

ଉତ୍ତର ଭାରତରେ ଘନ କୁହୁଡ଼ି; ୨୫୦ରୁ ଅଧିକ ବିମାନ ପ୍ରଭାବିତ, ବିଳମ୍ବରେ ଚାଲୁଛି ଟ୍ରେନ୍

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହର ସାଙ୍ଗକୁ ଜାରି ରହିଛି ଘନ କୁହୁଡି । ରାସ୍ତାଘାଟରେ ଗାଡି ଚଳାଚଳ ସହ ଶହ ଶହ ବିମାନ ଏବଂ ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ ଓ ଟ୍ରେନ୍‌ ସେବାକୁ ବାତିଲ କରାଯାଇଛି ।

ଶନିବାର ସକାଳେ ଘନ କୁହୁଡି ଯୋଗୁ ରନୱେ ଦୃଶ୍ୟ ଶୂନ୍ୟ ଥିବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ଫଳରେ ୨୫୦ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା ଏବଂ ପ୍ରାୟ ୪୦ଟି ବିମାନ ବାତିଲ ମଧ୍ୟ କରାଯାଇଛି ।

ଦିଲ୍ଲୀ ବିମାନବନ୍ଦରରେ ସ୍ପାଇସ୍‌ଜେଟ, ଇଣ୍ଡିଗୋ ଏବଂ ଏୟାରଇଣ୍ଡିଆର ବିମାନଗୁଡ଼ିକ ପ୍ରଭାବିତ ହୋଇଛି । ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ସମେତ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଘନ କୁହୁଡ଼ି ହେତୁ ବିମାନ ଚଳାଚଳ ଉପରେ ପ୍ରଭାବ ପକାଉଛି । ଅନ୍ୟପଟେ, ବିମାନ ଉଡ଼ାଣ ସୂଚନା ପାଇଁ ଯାତ୍ରୀମାନଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।

ଘନ କୁହୁଡି ହେତୁ ଉତ୍ତର ଭାରତର ବିଭିନ୍ନ ସହରକୁ ଟ୍ରେନ୍‌ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି । ଏହି କାରଣରୁ ବିଳମ୍ବରେ ଚାଲୁଛି ଅନେକ ଟ୍ରେନ୍ ।

Comments are closed.