ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ବିନସିଟିରେ ଘନ କୁହୁଡ଼ି। ସକାଳୁ ସକାଳୁ ଭୁବନେଶ୍ୱର ଓ କଟକରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ପ୍ରବଳ କୁହୁଡିରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି। ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।
ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି। ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ଆକଳନ କରାଯାଇଛି। ସେହିପରି ଘନ କୁହୁଡ଼ି ଯୋଗୁଁ ଲୁଚିଯାଇଛି ପୁରୀ ଶ୍ରୀମନ୍ଦିର। ଆଜି ପ୍ରବଳ କୁହୁଡ଼ି ହୋଇଥିବା ବେଳେ ଶ୍ରୀମନ୍ଦିର ଓ ନୀଳଚକ୍ର ଦୃଶ୍ୟମାନ ହେଉନି। କୁହୁଡିର ମାତ୍ରା ଏତେ ଅଧିକ ଯେ ଅତିନିକଟରୁ ବି ମନ୍ଦିର ଦେଖିବା କଷ୍ଟକର ହୋଇପଡିଛି। ବଡ଼ ଦାଣ୍ଡରେ ବି ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା କମିଛି।
ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା ୧୫ ଡିଗ୍ରୀ ସହ ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୪ ଡିଗ୍ରୀ ରହିପାରେ। କିନ୍ତୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୮ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ। ରାଜ୍ୟକୁ ଏବେ କିଛି ମାତ୍ରାରେ ଜଳୀୟବାଷ୍ଣପୂର୍ଣ୍ଣ ବାୟୁର ପ୍ରବାହ ହେତୁ କୁହୁଡ଼ି ସ୍ଥିତି ଜାରି ରହିଛି। ଆଗାମୀ କିଛି ଦିନ ସକାଳ ସମୟରେ ଏଭଳି ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
Comments are closed.