Latest Odisha News

ଜୁଲାଇ ୫ରୁ ଦିବ୍ୟ କଳା ମେଳା, ଦିବ୍ୟ କଳା ଶକ୍ତି ଓ ଦିବ୍ୟାଙ୍ଗ ଜନ ରୋଜଗାର ମେଳା

ଭୁବନେଶ୍ଵର: ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ (ଦିବ୍ୟାଙ୍ଗଜନ) ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଦିବ୍ୟାଙ୍ଗଜନ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍ (ଏନଡିଏଫଡିସି) ଜରିଆରେ ଦିବ୍ୟ କଳା ଶକ୍ତି ଓ ଦିବ୍ୟ କଳା ମେଳା ଆୟୋଜନ କରିବାକୁ ଯାଉଛି । ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ । ଏହି ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସରେ ଆସନ୍ତାକାଲି ଠାରୁ ଅର୍ଥାତ୍ ୫ରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜନ କରାଯିବ।

୫ ଜୁଲାଇ ୨୦୨୪ ଅପରାହ୍ଣ ଗୋଟାଏ ବେଳେ ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ମାନ୍ୟବର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବି.ଏଲ. ବର୍ମା ଉଦଘାଟନ କରିବେ । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଓଡ଼ିଶା ଭଳି ୬ଟି ରାଜ୍ୟରେ ଦିବ୍ୟାଙ୍ଗ ଜନଙ୍କ ପାଇଁ କାର୍ଯ୍ୟ କରୁଥିବା ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୬ରେ ଜୁଲାଇ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଦିବ୍ୟାଙ୍ଗଜନ କଳାକାର ଓ ଜଣାଶୁଣା ପେସାଦାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ଆଗନ୍ତୁକମାନେ ବିଭିନ୍ନ ଆଞ୍ଚଳିକ ଖାଦ୍ୟର ମଜା ନେଇପାରିବେ।

 

Leave A Reply

Your email address will not be published.