ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ଜନ୍ମସ୍ଥାନ ପୁନେ ଜିଲ୍ଲାର ବାରାମତିର ବିଦ୍ୟା ପ୍ରତିଷ୍ଠାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯାଇଛି । ବୁଧବାର ଦିନ ଏକ ବିମାନ ଦୁର୍ଘଟଣାରେ ପାୱାରଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି ।
ପାୱାରଙ୍କ ଅନ୍ତିମ ସଂସ୍କାର ସମୟରେ “ଅଜିତ ଦାଦା ଅମର ରହେ” ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ବିଦ୍ୟା ପ୍ରତିଷ୍ଠାନରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ, ପାୱାରଙ୍କ ପୁଅ ପାର୍ଥ ଏବଂ ଜୟ ମୁଖାଗ୍ନି ଦେଇଛନ୍ତି ।
ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।
ବୁଧବାର ସନ୍ଧ୍ୟାରେ ଅଜିତ ପାୱାରଙ୍କ ପାର୍ଥିବ ଶରୀରକୁ ପୁଣେ ଜିଲ୍ଲାର ବାରାମତୀର ଏକ ଶିକ୍ଷାନୁଷ୍ଠାନକୁ ଅଣାଯାଇଥିଲା । ଏନସିପି କର୍ମୀଙ୍କ ସହିତ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ସେଠାରେ ଏକତ୍ରିତ ହୋଇ ଦିବଂଗତ ନେତାଙ୍କ ସମ୍ମାନରେ ସ୍ଲୋଗାନ ଦେଇଥିଲେ ।
ତେବେ ଗତକାଲି (ବୁଧବାର) ମହାରାଷ୍ଟ୍ରର ବାରାମତିରେ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ହଠାତ୍ ମୃତ୍ୟୁ ହୋଇଥିଲା । ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଅଜିତ ପାୱାର, ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁର, ସହ-ପାଇଲଟ୍ ଶାମ୍ଭବୀ ପାଠକ, ବିମାନ ପରିଚାରିକା ପିଙ୍କି ମାଲି ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଦୀପ ଜାଧବଙ୍କ ମୃତ୍ୟୁ ହୋଇଥିଲା ।