Latest Odisha News

ବିକ୍ରମ ମିଶ୍ରି ଭାରତର ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ: ଦେଶର ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ତଥା ପୂର୍ବତନ ରାଷ୍ଟ୍ରଦୂତ ବିକ୍ରମ ମିସରିଙ୍କୁ ଭାରତ ସରକାରଙ୍କ ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ନିଯୁକ୍ତ କରାଯାଇଛି । ସେ ୧୯୮୯ ବ୍ୟାଚ୍‌ ର ଆଇଏଫଏସ୍ ଅଫିସର । ସେ ଗତ ଦୁଇ ବର୍ଷ ଧରି ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ । ଜୁଲାଇ ମାସ ୧୫ ତାରିଖରେ ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ନେବେ । ଏନେଇ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ୧୯୯୧ ରୁ ୧୯୯୬ ମସିହା ମଧ୍ୟରେ ବିକ୍ରମ ମିଶ୍ରି ବ୍ରୁସେଲ୍‌ସ ଓ ଟୁନିସରେ ଭାରତୀୟ ମିଶନ ଗୁଡ଼ିକରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିଲେ । ୧୯୯୭ରେ ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ ସେ ଏକାଧିକ ଥର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରିଛନ୍ତି । ଏହା ସହିତ ବିଦେଶରେ ଭାରତର ବିଭିନ୍ନ ମିଶନରେ କାର୍ଯ୍ୟ କରିଛନ୍ତି ।

୨୦୧୨ରେ ବିକ୍ରମ ମିଶ୍ରି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରାଇଭେଟ୍ ସେକ୍ରେଟେରୀ ଭାବେ ନିଯୁକ୍ତି ପାଇଥିଲେ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ସେ ସେହି ପଦବୀରେ ରହି କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.