ପୁରୀ: ପ୍ରଳୟଙ୍କରୀ ବାତ୍ୟା ପରେ ଏବେ ପୁରୀରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ରଥଯାତ୍ରା ସମୟରେ ଭକ୍ତମାନେ ମହାପ୍ରସାଦ କିପରି ଘରକୁ ନେଇକି ଯିବେ? କେବଳ ପୁରୀର ପାରମ୍ପରିକ କୁମ୍ଭାର ନୁହେଁ ବରଂ ଏହି ପ୍ରଶ୍ନଟି ପ୍ରଶାସନ ଏବଂ ଭକ୍ତଙ୍କ ମନରେ ଭାଳେଣୀ ସୃଷ୍ଟି କରିଛି ।
ପ୍ରଳୟଙ୍କରୀ ବାତ୍ୟା ଫନୀ ପୁରୀ ସହରର ପ୍ରାୟ ୩୦୦ ପାରମ୍ପରିକ କୁମ୍ଭାର ପରିବାରକୁ ଛାରଖାର କରିଦେଇଛି । ହଜାର ହଜାର ବର୍ଷଧରି ଏହି କୁମ୍ଭାରପଡ଼ାର ପାରମ୍ପରିକ କୁମ୍ଭାରମାନେ ମହାବାତ୍ୟାରେ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ଯେଉଁ କୁଡୁଆ ମାଟିପାତ୍ର ତିଆରି କରୁଥିଲେ ତାହାର ଚକ ସବୁ ଭାଙ୍ଗିଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ମାଟି ପାତ୍ର ବାତ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଏବେ କେବଳ ଭାଗ୍ୟକୁ ଆଦରି ଏହି କୁମ୍ଭାରମାନେ ବସି ରହିଥିବା ଛଡ଼ା ଅନ୍ୟ ଉପାୟ ନାହିଁ । ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ କୁମ୍ଭାରପଡ଼ାର କୁମ୍ଭାରମାନେ ହଜାର ହଜାର ସଂଖ୍ୟାରେ ମାଟି କୁଡୁଆ ତିଆରି କରି ରଖିଥିଲେ । ବାତ୍ୟାର ତାଣ୍ଡଳଲୀଳା ଏହି ମାଟିପାତ୍ରକୁ ଭାଙ୍ଗିରୁଜି ଦେଇ କୁମ୍ଭାରପଡ଼ାର କୁମ୍ଭାରମାନଙ୍କ ମେଦୁଦଣ୍ଡ ଏକପ୍ରକାର ଭାଙ୍ଗିଦେଇଛି ।
ଆନନ୍ଦବଜାରରେ ଏହି ମାଟିପାତ୍ରରେ ହିଁ ମହାପ୍ରଭୁଙ୍କ ମହାପ୍ରସାଦ ଭୋଗକୁ ଭକ୍ତମାନେ ନେଇଥାଆନ୍ତି । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଏବଂ ଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିରରେ ଠାକୁର ଦର୍ଶନ କରି ମହାପ୍ରଭୁଙ୍କ ମହାପ୍ରସାଦ ଘରକୁ ନେଇଥାଆନ୍ତେ । ଏବେ କେଉଁଥିରେ ମହାପ୍ରସାଦ ବଣ୍ଟନ ହେବ ତାହାକୁ ନେଇ ସମସ୍ତଙ୍କ ଚିନ୍ତା ।
“ଏହି ଭୟଙ୍କର ବାତ୍ୟାରେ ଆମର ଘର ସବୁ ଭାଙ୍ଗିରୁଜି ଯାଇଛି, କେଉଠି ପୁରା ଭାଙ୍ଗିଯାଇଛି ତ ଅନ୍ୟ କେଉଁଠି ଅଧା ଭାଙ୍ଗିଛି । ଶାଳଘରେ ଆମେ ରଖିଥିବା ଚକ ସହିତ ହଜାର ହଜାର ସଂଖ୍ୟାରେ ମାଟିପାତ୍ର ଗୁଡ଼ିକ ଭାଙ୍ଗି ଧ୍ୱଂସ ହୋଇଯାଇଛି । ଆନୁମାନିକ ପ୍ରାୟ ୬୦ ଲକ୍ଷ ଟଙ୍କାର ମାଟିପାତ୍ର ଏହି ବାତ୍ୟାରେ ନଷ୍ଟ ହୋଇଯାଇଛି,” ବୋଲି କହିଛନ୍ତି କୁମ୍ଭାରପଡ଼ାର ଜଣେ ପାରମ୍ପରିକ କୁମ୍ଭାର ମହେନ୍ଦ୍ର ବିଶୋୟୀ ।
ସେହିପରି ଅନ୍ୟ ଜଣେ କୁମ୍ଭାର ରସାନନ୍ଦ ବିଶୋୟୀ କହିଛନ୍ତି, ରଥଯାତ୍ରା ପୂର୍ବରୁ ଏହି ଶାଳଘର ପୁନର୍ବାର ନିର୍ମାଣ କରିବା ସମ୍ଭବ ନୁହେଁ, କାରଣ ଏହି ଶାଳଘର ତିଆରିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । କୁମ୍ଭାରପଡ଼ାରେ ବସବାସ କରୁଥିବା ଏହି କୁମ୍ଭାରମାନଙ୍କର ମୋଟ ୬ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଥିବା କହିଛନ୍ତି ଶ୍ରୀ ବିଶୋୟୀ ।
ଯେହେତୁ ରଥଯାତ୍ରା ଆଗକୁ ରହିଛି ତେଣୁ କୁମ୍ଭାରପଡ଼ାର କୁମ୍ଭାରମାନେ ଅଧିକ ଖର୍ଚ୍ଚ ଓ ଅନେକ ଟଙ୍କା ବ୍ୟୟ କରି ହଜାର ହଜାର ସଂଖ୍ୟାରେ ମହାପ୍ରଭୁଙ୍କ ରଥଯାତ୍ରା ଉତ୍ସବ ଲାଗି ମାଟିପାତ୍ର ତିଆରି କରି ରଖିଥିଲେ । ରଥଯାତ୍ରାରେ ବିକ୍ରି କରି କିଛି ଦି ପଇସା ଉପାର୍ଜନ କରିପାରିଥାଆନ୍ତେ ମାତ୍ର, ପ୍ରଳୟଙ୍କରୀ ବାତ୍ୟା ମାଟିପାତ୍ର ସହିତ ସବୁ ଆଶାକୁ ଭାଙ୍ଗି ଚୁରମାର୍ କରିଦେଇଛି ।
“ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ ଯେ, ବାତ୍ୟାରେ ଆମର ଘର ଓ ଶାଳଘର ସମେତ ମାଟିପାତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଯୋଗୁଁ ଆମକୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ । ଯାହାଦ୍ୱାରା କି ଆମେ ଶାଳଘର ସହିତ ଘର ତିଆରି କରି ପୁଣି ଶ୍ରୀମନ୍ଦିର ଲାଗି ମାଟିପାତ୍ର ତିଆରି କରିପାରନ୍ତୁ । ଆମେ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏନେଇ ସମସ୍ତ କଥା ଅବଗତ କରିଛୁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜେ କୁମ୍ଭାରପଡ଼ା ଆସି ସମସ୍ତ କ୍ଷୟକ୍ଷତିକୁ ପରଖି ସରକାରଙ୍କ୍ୁ ଏକ ରିପୋର୍ଟ ପ୍ରଦାନ କରନ୍ତୁ,” ବୋଲି ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ରାଜ୍ୟ କୁମ୍ଭାର ସଂଘର ସଭାପତି ସରୋଜ କୁମାର ବେହେରା ।
ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି, ସଂଘ ତରଫରୁ ଏକ ପ୍ରତିନିଧି ଦଳ ଆସି ଭେଟି ସମସ୍ତ ଅବଗତ କରିଛନ୍ତି । ଏସମ୍ପର୍କରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । “ଏସମ୍ପର୍କରେ ଆମେ ସେମାନଙ୍କ ସମସ୍ତ ଦାବୀକୁ ଗୁରୁତ୍ୱର ସହିତ ବିଚାର କରିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ତଥା ସହଯୋଗ ପ୍ରଶାସନ ପକ୍ଷରୁ ଯୋଗାଇଦିଆଯିବ,” ବୋଲି ସେ କହିଛନ୍ତି ।
କେବଳ ରଥଯାତ୍ରା ସମୟରେ କୁମ୍ଭାରପଡ଼ାର କୁମ୍ଭାରମାନେ ପ୍ରାୟ ୬୦ ରୁ ୭୦ ଲକ୍ଷ ଟଙ୍କାର ମାଟିପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ଯୋଗାଇ ଦେଇଥାଆନ୍ତି ।