ମୁମ୍ବାଇ: ଫିଲ୍ମ ଛାଭା ପାଇଁ ମହାରାଷ୍ଟ୍ରରେ ଔରଙ୍ଗଜେବଙ୍କ ପ୍ରତି ଜନସାଧାରଣଙ୍କ ଆକ୍ରୋଶ ବଢୁଛି। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍।
ଛାଭା ଚଳଚ୍ଚିତ୍ର ପରେ ଔରଙ୍ଗଜେବଙ୍କ ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ମହାରାଷ୍ଟ୍ରକୁ ଶାନ୍ତ ରଖିବାକୁ ପଡିବ। ସେ ଆହୁରି ମଧ୍ଯ କହିଛନ୍ତି ଯେ ନାଗପୁର ହିଂସା ସମୟରେ କେବଳ କିଛି ଘର ଏବଂ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିଲା। ଏଥିରୁ ଏହା ଏକ ଷଡ଼ଯନ୍ତ୍ର ପରି ମନେ ହେଉଛି। ହିଂସା ଫଳରେ ଅନେକ ଘର ଏବଂ ଯାନବାହାନ ଭାଙ୍ଗିରୁଜି ଯାଇଥିଲା।
ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଗୃହରେ କହିଛନ୍ତି ଯେ, ‘ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ନାଗପୁରରେ ପ୍ରତିବାଦ କରିଥିଲେ। ଯାହାପରେ ଧାର୍ମିକ ସାମଗ୍ରୀ ଥିବା ଜିନିଷଗୁଡ଼ିକୁ ପୋଡ଼ି ଦିଆଯାଇଥିବା ଗୁଜବ ପ୍ରଚାର ହୋଇଥିଲା। ଯାହା ଏକ ଯୋଜନାବଦ୍ଧ ଆକ୍ରମଣ ପରି ମନେ ହେଉଛି। କାହାରିକୁ ଆଇନ ଶୃଙ୍ଖଳା ନିଜ ହାତରେ ନେବାକୁ ଅନୁମତି ନାହିଁ। ପୋଲିସ ଉପରେ ଆକ୍ରମଣକୁ ମଧ୍ଯ ବରଦାସ୍ତ କରାଯିବ ନାହିଁ।
ଅପରପକ୍ଷରେ ହିଂସାରେ ୩ ଜଣ ଡିସିପିଙ୍କ ସମେତ ୩୩ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେହିପରି ୫ଜଣ ସାଧାରଣ ନାଗରିକ ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଆଇସିୟୁରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।