Latest Odisha News

BREAKING NEWS

ଆଗଧାଡିରେ ଦେବେନ୍ଦ୍ର ଫଡନାବିସ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତି ବିଜୟର ସାରଥି ଦେବେନ୍ଦ୍ର ଫଡନାବିସ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପସନ୍ଦ ଫଡନାବିସଙ୍କୁ ମହାରାଷ୍ଟ୍ର ବିଜୟର ମ୍ୟାନ ଅଫ୍ ଦି ମ୍ୟାଚ କୁହାଯାଉଛି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ସହ ଫଡନାବିସ ବିଜେପିର ବଡ ନେତାଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ପରି ଫଡନାବିସ କେବଳ ମହାରାଷ୍ଟ୍ର ରାଜନୀତି ନୁହେଁ ଜାତୀୟସ୍ତରରେ ବି ବଡ ନେତା ଭାବେ ପରିଚିତି ପାଇଛନ୍ତି । ମହାରାଷ୍ଟ୍ର ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ ସହ ଦଳ ତଥା ରାଜନୀତିରେ ଉପରକୁ ଉଠିବାର ରାସ୍ତା ସହଜ ହୋଇଛି । ତେବେ ଲକ୍ଷ୍ୟ ହାସଲ କରିବାକୁ ଆହୁରି ଅନେକ ଚ୍ୟାଲେଞ୍ଜ ବାକି ।

ଉତ୍ତରାଧିକାରୀ ରେସରେ ଫଡନାବିସ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିଥିଲେ ବି ଜେପି ନଡ୍ଡାଙ୍କୁ କେବେ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଇନି। ନଡ୍ଡାଙ୍କଠାରୁ ଅନେକ ଆଗରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଉ ଏଥର ମହାରାଷ୍ଟ୍ର ବିଜୟ ସହ ବିଜେପିରେ ଦେବେନ୍ଦ୍ର ଫଡନାବିସ ନଡ୍ଡାଙ୍କ ଅନେକ ଆଗକୁ ଚାଲିଯାଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ହେଉ କି ପରବର୍ତ୍ତୀ ସମୟରେ ବିଜେପି କ୍ଷମତାକୁ ଆସିଲେ ପ୍ରଧାନମନ୍ତ୍ରୀ ପଦ ପାଇଁ ଫଡନାବିସଙ୍କ ନାଁ ବି ଚର୍ଚ୍ଚାରେ ଆସିବ । ଗତ ୫ବର୍ଷ ଧରି ମହାରାଷ୍ଟ୍ରରେ ଫଡନାବିସ ଯେଉଁଭଳି ରଣନୀତି ଓ ରାଜନୈତିକ ପରିପକ୍ବତା ଦେଖାଇଛନ୍ତି, ବିଜେପିରେ ତାଙ୍କର ଉଚ୍ଚତା ଅନେକ ବଢିଛି ।

‘ମହା’ବିଜୟ ପଛର ସାରଥି

ଗତ ୫ବର୍ଷ ମଧ୍ୟରେ ମହାରାଷ୍ଟ୍ର ଦେଖିଛି କ୍ଷମତା ପରିବର୍ତ୍ତନର ଭିନ୍ନ ଭିନ୍ନ ରୂପ । ୨୦୨୨ରେ ଏକନାଥ ସିନ୍ଦେ ବିଦ୍ରୋହ କରିବା ପରେ ମହାବିକାଶ ଅଘାଡି ସରକାର ଭାଙ୍ଗି ଯାଇଥିଲା । ବିଜେପି ସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ଡିଲ୍ କଲେ ସିନ୍ଦେ । ବିଜେପି ଫଡନାବିସଙ୍କୁ ଉପମୁଖ୍ୟମନ୍ତ୍ରୀ ହେବାକୁ କହିଲା । ହସି ହସି ପଦକୁ ସ୍ବୀକାର କଲେ ଫଡନାବିସ । ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ଜବରଦସ୍ତ କମବ୍ୟାକ୍ କଲେ ଫଡନାବିସ । ବିଜେପିର ବଡ ବିଜୟ ପରେ ଆଉ କାମ ଦେଲାନି ଏକନାଥ ସିନ୍ଦେଙ୍କ ମାନ ଅଭିମାନ । ଅନେକ ପୂର୍ବରୁ ଅଜିତ ପାଓ୍ବାରଙ୍କ ସମର୍ଥନ ହାସଲ କରିଥିବା ଫଡନାବିସ ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ।

ହିନ୍ଦୁତ୍ବର ପୋଷ୍ଟର ବୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ ଭାବେ ଏପର୍ଯ୍ୟନ୍ତ ଅମିତ ଶାହା ଓ ଯୋଗୀ ଆଦିତ୍ୟନାଥଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ଏବେ ସେଥିରେ ଦେବେନ୍ଦ୍ର ଫଡନାବିସ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ନିର୍ବାଚନରେ ବିଜେପିର ହିନ୍ଦୁତ୍ବ ଏଜେଣ୍ଡାକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶନ କରିଥିଲେ ଫଡନାବିସ । ଯୋଗୀ ଆଦିତ୍ୟନାଥଙ୍କ ଭଳି ଫଡନାବିସଙ୍କୁ ବି ପ୍ରଥମେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ହିଁ ପସନ୍ଦ କରିଥିଲା । ମହାରାଷ୍ଟ୍ରରେ ହିନ୍ଦୁତ୍ବର ପୋଷ୍ଟର ବୟ ସାଜିଥିବା ଫଡନାବିସ ଆଗକୁ ମୋଦିଙ୍କ ଉତ୍ତରାଧିକାରୀ ରେସରେ ଯୋଗୀ ଓ ଶାହାଙ୍କୁ କଡା ଟକ୍କର ଦେଇପାରନ୍ତି ।

ଫଡନାବିସଙ୍କ ପାଇଁ ଚ୍ୟାଲେଞ୍ଜ

ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ବିଜେପିର ବଡ ଚେହେରା ପାଲଟିଛନ୍ତି ଦେବେନ୍ଦ୍ର ଫଡନାବିସ । ହେଲେ ଆଗକୁ ତାଙ୍କ ଆଗରେ ବି ଅନେକ ଚ୍ୟାଲେଞ୍ଜ ରହିଛି । ମହାରାଷ୍ଟ୍ର ବାହାରେ ବି ନିଜ ପ୍ରଭାବ ଦେଖାଇବାକୁ ପଡିବ । ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ମଡେଲ୍ ଭଳି ନିଜ ଶାସନର ମହାରାଷ୍ଟ୍ର ମଡେଲକୁ ବି ଉପସ୍ଥାପନ କରିବାକୁ ପଡିବ । ଯାହା ବିଜେପିକୁ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରରେ କ୍ଷମତାରେ ରଖିବାରେ ସାହାଯ୍ୟ କରିବ । ମହାରାଷ୍ଟ୍ର ଯୁଦ୍ଧ ଜିତିବା ପରେ ଏବେ ବିଜେପି ଭିତରେ ଓ ବାହାରେ ଫଡନାବିସଙ୍କ ପାଇଁ ଲମ୍ବା ରାଜନୈତିକ ଯାତ୍ରା ଅପେକ୍ଷାରେ । ନିଜକୁ ଜାତୀୟସ୍ତରର ନେତା ପ୍ରମାଣିତ କରିବାକୁ ହେଲେ ଆହୁରି ଅନେକ ଚ୍ୟାଲେଞ୍ଜକୁ ସଫଳତାର ସହ ସାମନା କରିବାକୁ ପଡିବ ।

Comments are closed.