Latest Odisha News

BREAKING NEWS

ଜୁଲାଇ ଏକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ

ମୁମ୍ବାଇ: ମହାବିକାଶ ଅଘାଡି ସରକାରକୁ ଆସ୍ଥା ଭୋଟର ସାମ୍ନା କରିବାକୁ ହେବ । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାଏମ ରଖି ସୁପ୍ରିମକୋର୍ଟ ରାୟ ଶୁଣାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ରାଜ୍ୟରେ ଏକାକୀ ସର୍ବାଧିକ ଆସନ ଜିତି ବିରୋଧୀ ଆସନରେ ବସିଥିବା ବିଜେପି ଏବେ ସରକାର ଗଢିବ ବୋଲି ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସ ଏବେ ଦଳୀୟ ବିଧାୟକଙ୍କ ସହ ବୈଠକ କରୁଛନ୍ତି। ଆସନ୍ତାକାଲି ଶିବସେନାର ବିଦ୍ରୋହୀ ଗୋଷ୍ଠୀ ବା ସଂଖ୍ୟାଗରିଷ୍ଠ ଗୋଷ୍ଠୀଙ୍କ  ସମର୍ଥନ ସହ ବିଜେପି ରାଜ୍ୟପାଳଙ୍କ ନିକଟରେ ସରକାର ଗଢିବାକୁ ଦାବି କରିପାରେ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଦେବେନ୍ଦ୍ର ଫଡନାଭିସ ଜୁଲାଇ ଏକ ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଯଦି ଦେବେନ୍ଦ୍ର ଶପଥ ନିଅନ୍ତି ତାହାଲେ ସେ ତୃତୀୟ ଥର ପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ପୂର୍ବରୁ ସେ ଦିନକଟେ ପାଇଁ ଏହି ଆସନରେ ବସିଥିଲେ।

ତେବେ ଉଦ୍ଧବ, ତାଙ୍କ ପୁଅ ଆଦିତ୍ୟ ଠାକରେ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଇସ୍ତଫା ଦେଇଥିବାରୁ ଆସନ୍ତାକାଲି ଆସ୍ଥା ଭୋଟ୍ ପରୀକ୍ଷା ହେବ କି ନା ତାହା ଏବେ ସନ୍ଦେହ ଘେରରେ। କିନ୍ତୁ ଗୌହାଟିରୁ ଆସି ଗୋଆର ଏକ ହୋଟେଲରେ ଥିବା ଶିବସେନାର ଅଧିକାଂଶ ବିଧାୟକ ରାତି ପାହିଲେ ମୁମ୍ବାଇ ପହଁଞ୍ଚିବେ। ଏପରି ସ୍ଥିତିରେ ଆସ୍ଥା ଭୋଟ୍ ନହେଲେ ଉଭୟ ଏକନାଥ ଗୋଷ୍ଠୀ ଏବଂ ବିଜେପି ମିଶି ରାଜ୍ୟପାଳଙ୍କ ନିକଟରେ ସରକାର ଗଢିବାକୁ ଦାବି କରିପାରନ୍ତି। ତେଣୁ ମିଳିଥିବା ସୂଚନା ଅନୁଯାୟୀ ଦିନେ ଦୁଇ ଦିନ ଭିତରେ ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ସୂଚନା ମିଳିଛି।

ମହାବିକାଶ ଅଘାଡି ସରକାରରେ ଶିବସେନା ନେତୃତ୍ୱ ନେଉଥିଲା। ଏହି ମହାମେଣ୍ଟରେ ଏନସିପି ଏବଂ କଂଗ୍ରେସ ଥିଲେ। କିନ୍ତୁ ଶିବସେନାର କିଛି ବିଧାୟକ ଏକନାଥ ସିନ୍ଦେ ଏପରି ମେଣ୍ଟକୁ ବିରୋଧ କରିଥିଲେ। ଯେଉଁ ଦଳ ଶିବସେନାର ନୀତି ଆଦର୍ଶକୁ ବିରୋଧ କରେ ଏବଂ ସେହି ଦଳର ବିଧାୟକଙ୍କ ବିରୋଧରେ ନିର୍ବାଚନ ଲଢିଛି ସେହି ଦଳ ସହ ମେଣ୍ଟ ପାଇଁ ଚାହୁଁନଥିଲେ। ଯାହାର ପ୍ରତିଫଳନ ରାଜ୍ୟସଭା, ବିଧାନପରିଷଦ ନିର୍ବାଚନରୁ ଦେଖିବାକୁ ମିଳିଥିଲା। ପରେ ପରେ ଏକନାଥଙ୍କ ନେତୃତ୍ୱରେ ଦଳୀୟ ବିଧାୟକ ରାଜ୍ୟ ବାହାରେ ଏକାଠି ହୋଇ ଡେରା ପକାଇଥିଲେ।

ଉଦ୍ଧବ ଇସ୍ତଫା ଦେବା ପରେ ବିଜେପି ଶିବିର ଚଳ ଚଞ୍ଚଳ ହୋଇ ଉଠିଛି। ବିଭିନ୍ନ କେନ୍ଦ୍ରୀୟ ବିଜେପି ଏବଂ ମହାରାଷ୍ଟ୍ର ବିଜେପି ନେତା ଟୁଇଟ୍ କରି ମହାମେଣ୍ଟ ସରକାର ଉପରେ ବର୍ଷିଛନ୍ତି। ଜନାଦେଶ ବିରୋଧରେ ଯାଇ କ୍ଷମତାରେ ରହିବାକୁ ପ୍ରୟାସ କଲେ ଏପରି ପରିଣାମ ହୁଏ। ଯାହା ହୋଇଛି ତାହା ମହାରାଷ୍ଟ୍ରବାସୀଙ୍କର ବିଜୟ ବୋଲି ବିଜେପି ନେତା ଶାହାନଓ୍ୱାଜ ହୁସେନ କହିଛନ୍ତି।

ସେହିପରି ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ ଟୁଇଟ୍ କରି କହିଛନ୍ତି, “ଭାରତର ଗଣତନ୍ତ୍ର ଉପରେ ବଡ଼ କଳା କଳଙ୍କ ଲାଗିଛି । ଗୋଆ, ମଧ୍ୟପ୍ରଦେଶ (କମଲନାଥ ସରକାର ପତନ ପରେ), କର୍ଣ୍ଣାଟକ ଏବଂ ଏବେ ମହାରାଷ୍ଟ୍ରରେ ସରକାର ଭାଙ୍ଗିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବଂ ବିପୁଳ ଅର୍ଥର ଅପବ୍ୟବହାର କରି ଜାତୀୟ ସମ୍ପତ୍ତି ଲୁଟ୍ କରି ଏଠାରେ ସରକାରକୁ ଅକ୍ତିଆର କରାଯାଉଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.