ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରିଲା ସିଏମ୍ ସସପେନ୍ସ । ଆସନ୍ତାକାଲି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ। ବିଜେପି ବିଧାୟକ ଦଳ ବୈଠକରେ ଫଡନାବିସଙ୍କ ନାଁରେ ମୋହର ଲାଗିଛି । ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇପାରନ୍ତି । ଚର୍ଚ୍ଚା ହେଉଥିଲା, ମହାରାଷ୍ଟ୍ରରେ ଏଥର ବିଜେପି ମରାଠା କିମ୍ବା ଓବିସି ଚେହେରାଙ୍କୁ ସିଏମ ପଦରେ ବସାଇପାରେ । ତେବେ ମହାରାଷ୍ଟ୍ରରେ ମଧ୍ୟପ୍ରଦେଶ, ରାଜସ୍ଥାନ କିମ୍ବା ହରିୟାଣା ଫର୍ମୁଲା ଲାଗୁ କରିନି ବିଜେପି । ଫଡନାବିସଙ୍କୁ ବାଛି ସାଧାରଣ ବର୍ଗକୁ ବଡ ସନ୍ଦେଶ ଦେଇଛି ବିଜେପି ।
ଫଡନାବିସ ସିଏମ୍ ହେବା ପଛର ୧୦ କାରଣ
କାରଣ ନମ୍ବର-୧- ୬ଥର ବିଧାୟକ ରହିଥିବା ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ର ବିଜେପିର ଜଣେ ଅଭିଜ୍ଞ ନେତା । ସରକାର ଚଳାଇବାଠାରୁ ଆରମ୍ଭ କରି ସଂଗଠନ ସଜାଡିବା ପର୍ଯ୍ୟନ୍ତ ତାଙ୍କ ପାଖରେ ଅଭିଜ୍ଞତା ରହିଛି । ମେଣ୍ଟ ସହଯୋଗୀଙ୍କ ସହ ତାଳମେଳ ସାଙ୍ଗକୁ ମହାରାଷ୍ଟ୍ରର ବିଭିନ୍ନ ଆଞ୍ଚଳର ପ୍ରସଙ୍ଗକୁ ନେଇ ଫଡନାବିସଙ୍କର ଭଲ ଦଖଲ ରହିଛି । ତେଣୁ କୌଣସି ନୂଆ ଚେହେରାକୁ ସିଏମ ପଦରେ ବସାଇ ରିସ୍କ ନେଲାନି ବିଜେପି ।
କାରଣ ନମ୍ବର-୨- ୨୦୧୪ରୁ ୨୦୧୯ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଫଡନାବିସ । ୨୦୧୯ରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ହେଲେ ପଦରେ ମାତ୍ର ୩ଦିନ ରହି ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ପରେ ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିଥିଲେ ଫଡନାବିସ । ନାଗପୁର ଦକ୍ଷିଣ ପଶ୍ଚିମରୁ ସେ ୧୯୯୯ରୁ ବିଧାୟକ ରହିଛନ୍ତି । ଏହାପୂର୍ବରୁ ସେ ନାଗପୁର ନଗର ନିଗମର ମେୟର ଥିଲେ । ଅର୍ଥାତ ଫଡନାବିସଙ୍କ ହାତରେ ରାଜନୀତିର ଲମ୍ବା ଅଭିଜ୍ଞତା ।
କାରଣ ନମ୍ବର-୩- ୨୦୧୯ରେ ଦେବେନ୍ଦ୍ର ଫଡନାବିସଙ୍କୁ ରାଜନୀତିର ସବୁଠୁ ବଡ ଅଗ୍ନିପରୀକ୍ଷାର ସାମନା କରିବାକୁ ପଡିଥିଲା । ଉଦ୍ଧବ ଠାକରେ ଏନଡିଏର ହାତ ଛାଡିଥିଲେ । ରାଜନୈତିକ ଓଲଟପାଲଟ ମଧ୍ୟରେ ସ୍ଥିର ରହି ନିଜକୁ ଜଣେ ଅଭିଜ୍ଞ ରାଜନେତା ଭାବେ ପ୍ରମାଣିତ କରିଥିଲେ ଫଡନାବିସ।
କାରଣ ନମ୍ବର-୪- ଉଦ୍ଧବଙ୍କ ନେତୃତ୍ବରେ ମହାବିକାଶ ଅଘାଡି ମହାରାଷ୍ଟ୍ରରେ ସରକାର ଗଠନ କଲା । ବିରୋଧୀ ଦଳ ନେତା ଭାବେ କରୋନା ଅବ୍ୟବସ୍ଥା ହେଉ କି ଦୁର୍ନୀତି, ଜୋରଦାର ବିରୋଧ କଲେ ଫଡନାବିସ । ରାଜ୍ୟରେ ବିଜେପି ପ୍ରତି ଜନତାଙ୍କ ବିଶ୍ବାସ ବଢାଇଲେ ତ ନିଜକୁ ବିଜେପିର ସର୍ବମାନ୍ୟ ନେତା ଭାବେ ପ୍ରମାଣିତ କଲେ ।
କାରଣ ନମ୍ବର-୫-୨୦୨୨ରେ ଶିବସେନା ବିଭାଜନ ହେଲା, ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଏନଡିଏରେ ସାମିଲ ହେଲା । ସେତେବେଳେ ନିଜକୁ ପଛରେ ରଖି ଏନଡିଏର ସରକାର ଗଠନ ଉପରେ ହିଁ ଫୋକସ୍ କରିଥିଲେ ଫଡନାବିସ ।
କାରଣ ନମ୍ବର-୬- ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେଲେ । ଫଡନାବିସଙ୍କୁ ତାଙ୍କ ଡେପୁଟି ହେବା ପାଇଁ ବିଜେପି ହାଇକମାଣ୍ଡ କହିବା ପରେ ସେ ଏହାକୁ ସହଜରେ ମାନି ଯାଇଥିଲେ । ଉପମୁଖ୍ୟମନ୍ତ୍ରୀ ହୋଇ ସରକାରରେ ସକ୍ରିୟ ରହିଲେ ।
କାରଣ ନମ୍ବର-୭-୨୦୨୨ରେ ମହାରାଷ୍ଟ୍ରରେ ଏନଡିଏକ ସରକାର କ୍ଷମତାକୁ ଆସିଲା । ବିଜେପିର ୧୦୫ ବିଧାୟକ ଥାଇ ମଧ୍ୟ ଦଳ କୋଟାରୁ ମାତ୍ର ୧୦ଜଣଙ୍କୁ ମନ୍ତ୍ରୀ ପଦ ମିଳିଲା । ଯେବେକି ମାତ୍ର ୪୦ ବିଧାୟକ ଥିବା ଶିବସେନା କୋଟାରୁ ୧୦ଜଣ ମନ୍ତ୍ରୀ ହେଲେ । ବିଜେପି ବିଧାୟକଙ୍କୁ ଏକାଠି ରଖିବା ସହ ସିନ୍ଦେଙ୍କ ସହ ଠିଆ ହେଲେ ଫଡନାବିସ ।
କାରଣ ନମ୍ବର-୮-ଅଜିତ ପାଓ୍ବାର ଏନଡିଏରେ ସାମିଲ ହେବା ପରେ ପାଓ୍ବାର ସେୟାରିଂ ଫର୍ମୁଲା ପ୍ରସ୍ତୁତ କଲେ ଫଡନାବିସ । ଅଜିତଙ୍କ ଏନସିପିରୁ ୯ବିଧାୟକଙ୍କୁ ମନ୍ତ୍ରୀପଦ ଦିଆଗଲା । ବିଜେପି ୬ ମନ୍ତ୍ରାଳୟ ତ ସିନ୍ଦେଙ୍କ ଶିବସେନା ୫ ମନ୍ତ୍ରାଳୟ ଛାଡିଲା ।
କାରଣ ନମ୍ବର-୯-ଗତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ଭଲ ପ୍ରଦର୍ଶନ କରିନଥିଲା ବିଜେପି । ମାତ୍ର ୯ଟି ସିଟରେ ଜିତିଥିଲା ଦଳ । ୬ମାସ ପରେ ବିଧାନସଭା ନିର୍ବାଚନ ଥିବାରୁ ଜନତାଙ୍କ ମୁଡ୍ ଦେଖି ରଣନୀତି ପରିବର୍ତ୍ତନ କଲା ବିଜେପି । ଲାଡକି ଭେନ୍ ଭଳି ଲୋକାଭିମୁଖୀ ଯୋଜନା ଆଣିଲେ ସରକାର, ଯାହା ବିଜେପି ବିଜୟ ପଛରେ ଗେମଚେଞ୍ଜର ପ୍ରମାଣିତ ହେଲା ।
କାରଣ ନମ୍ବର-୧୦- ମେଣ୍ଟ ଅଙ୍କ କଷି ବିଧାନସଭା ନିର୍ବାଚନ ଲଢିବା ଆଦୌ ସହଜ ନଥିଲା । ନିର୍ବାଚନ ପୂର୍ବରୁ ହିଁ ମରାଠା ବନାମ ଓବିସି ସଂରକ୍ଷଣ ମହାୟୁତିର ଟେନସନ ବଢାଇଥିଲା । ତେବେ ତୃଣମୂଳସ୍ତରରେ ମହାୟୁତି ନେତାଙ୍କ ସହ ମିଶି ଲୋକସଭା ପରାଜୟକୁ ବିଜୟରେ ପରିଣତ କରିଥିଲେ ଦେବେନ୍ଦ୍ର ଫଡନାବିସ ।