Latest Odisha News

BREAKING NEWS

ଓଡିଶାର ପ୍ରମୁଖ ଶୈବପୀଠରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ପବିତ୍ର ମହାଶିବରାତ୍ରୀ ଲାଗି ସୋମବାର ଦିନ ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗିଛି ।

ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ, ଲିଙ୍ଗରାଜ, ପଞ୍ଚଲିଙ୍ଗେଶ୍ୱର ଏବଂ ବେଦବ୍ୟାସ ପରି ପ୍ରମୁଖ ଶୈବପୀଠମାନଙ୍କରେ ଭକ୍ତଙ୍କ ଭିଡ ଲାଗିରହିଛି ।

ଶ୍ରୀଲିଙ୍ଗରାଜ ମନ୍ଦିର, ଭୁବନେଶ୍ୱର: ଓଡ଼ିଶା ରାଜ୍ୟର ସବୁଠାରୁ ଅଧିକ ପ୍ରସିଦ୍ଧି ଲାଭ କରିଥିବା ତଥା ପୁରାତନ ଶୈବପୀଠ ରୂପେ ରାଜଧାନୀ ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିଗଣିତ ହୋଇଥାଏ । ଏଠାରେ ସୋମବାର ଭୋର ୩ଟା ୩୦ ମିନିଟରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଲାଗି ସାହାଣ ମେଲା ହେବା ସହିତ ୧୧ ଟା ୩୦ରୁ ୨ଟା ପର୍ଯ୍ୟନ୍ତ ଦ୍ୱାରପାଳ ପୂଜା ଏବଂ ସୂର୍ଯ୍ୟପୂଜା ଅନୁଷ୍ଠିତ ହେବ । ସେହିପରି ଦିବା ୨ଟା ସମୟରେ ସକାଳ ଧୂପ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୭ଟା ସମୟରେ ସନ୍ଧ୍ୟା ଆଳତୀ ଏବଂ ଟେରାଫିଟା ନୀତି ଅନୁଷ୍ଠିତ ହେବ । ରାତ୍ର ୮ଟା ୧୦ ମିନିଟରେ ସନ୍ଧ୍ୟା ଧୂପ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଠିକ୍ ରାତି ୧୦ ଘଟିକା ସମୟରେ ବହୁ ପ୍ରତିକ୍ଷୀତ ମହାଦୀପ ଉଠିବ ଏବଂ ଲକ୍ଷ ଲକ୍ଷ ଭକ୍ତମାନେ ମହାଦୀପ ଦର୍ଶନ କରି ମହାଜାଗର ଉପବାସ ବ୍ରତ ସମ୍ପୂର୍ଣ୍ଣ କରିବେ । ତେବେ ହରିହର ଭେଟ ଭୋର୍ ୩ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ହସ୍ତଗତ ହୋଇଛି ।

ଆରଡ଼ିର ବାବା ଆଖଣ୍ଡଳମଣି, ଚାନ୍ଦବାଲି, ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକସ୍ଥିତ ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି । ଏଠାରେ ଭଦ୍ରକରୁ ଲକ୍ଷାଧିକ ଭକ୍ତମାନେ ପକ୍କା ରାସ୍ତାରେ ଆସୁଥିବା ବେଳେ ମୋଟର ବୋଟ୍ ମାଧ୍ୟମରେ ଚାନ୍ଦବାଲିର ବୈତରଣୀ ନଦୀ ଜଳପଥ ଦେଇ ସହସ୍ରାଧିକ ଭକ୍ତ ଆରଡ଼ିର ପବିତ୍ର ଆଖଣ୍ଡଳମଣି ପୀଠକୁ ଆସିଥାଆନ୍ତି ।

ଆଜି ଭୋର ୪ଟାରେ ମନ୍ଦିରର ପହଡ ଖୋଲାଯାଇ ବାବା ଆଖଣ୍ଡଳମଣୀଙ୍କ ନିକଟରେ ମଙ୍ଗଳ ଆରତୀ କରାଇଛି । ପରବର୍ତ୍ତୀ ସମୟରେ ବିଭିନ୍ନ ନୀତିକାନ୍ତି ପରେ ସର୍ବସାଧାରଣଙ୍କ ଲାଗି ଦ୍ୱାର ଖୋଲାଯିବ । ରାତି ୪ଟାରେ ମହାଦୀପ ଉଠିବ ବୋଲି ଜଣାପଡିଛି ।

ଶ୍ରୀଚନ୍ଦ୍ରଶେଖର, କପିଳାସ, ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲାସ୍ଥିତ କପିଳାସ ପର୍ବତରେ ଥିବା ଶ୍ରୀଚନ୍ଦ୍ରଶେଖର ମହାଦେବ ଓଡ଼ିଶାର ପ୍ରମୁଖ ଶୈବପୀଠ ମାନଙ୍କ ମଧ୍ୟରୁ ଅନ୍ୟତମ । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଜାଗର ଉତ୍ସବ ଏଠାରେ ମହାସମାରୋହରେ ପାଳିତ ହୋଇଥାଏ । ଏହି ଅବସରରେ ମହାଦେବଙ୍କ କେତେକ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ ଯଥା – ବେଢାପୂଜା, ବେଢା ପରିକ୍ରମା ପରେ ମହାଦୀପ ଉଠାଣ କାର୍ଯ୍ୟକ୍ରମ ପାରମ୍ପରିକ ଭାବେ ଅନୁଷ୍ଠିତ ହୋଇଥାଏ । ସମଗ୍ର କପିଳାଶ ପର୍ବତରେ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶର ସୃଷ୍ଟି ହୋଇଥାଏ । ଏଠାରେ ଜାଗର ମହାଶିବରାତ୍ରୀ ଦିନ ସୁଉଚ୍ଚ ପାହାଚ ଦେଇ ଏବଂ ପକ୍କା ରାସ୍ତା ମାଧ୍ୟମରେ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ଶିଖରରେ ଥିବା ଶ୍ରୀଚନ୍ଦ୍ରଶେଖରଙ୍କୁ ଦର୍ଶନ କରିଥାନ୍ତି ।

ଶ୍ରୀପଞ୍ଚଲିଙ୍ଗେଶ୍ୱର, ନୀଳଗିରି, ବାଲେଶ୍ୱର
ଜାଗର ଦିନ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ରହିଥିବା ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ବିଭିନ୍ନ ରାଜ୍ୟରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିମ୍ବଦନ୍ତୀ ଅନୁଯାୟୀ ଜରାସନ୍ଧ ରାଜା ଶନି ଦଶାରୁ ମୁକ୍ତ ହେବା ଲାଗି ଏଠାରେ ନାରଦଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶନିଦଶାରୁ ମୁକ୍ତ ହୋଇଥିଲେ । ଭକ୍ତମାନେ ଜାଗରରେ ଉଜାଗର ରହି ଦୀପ ଦାନ କରିଥାନ୍ତି । ଏହି ମନ୍ଦିରରେ ଭୋର୍ ସମୟରେ ମହାଦୀପ ଉଠିବାର ପରମ୍ପରା ରହିଛି ।

ଶ୍ରୀଲୋକନାଥ ମନ୍ଦିର, ପୁରୀ: ମହାଶିବରାତ୍ରୀ ତଥା ଜାଗର ଯାତ୍ରା ପାଇଁ ପୁରୀର ଶ୍ରୀ ଲୋକନାଥ ମନ୍ଦିର ଚଳଚଞ୍ଚଳ ହୋଇପଡିଛି। ରାତି ସାଢେ ୧୨ଟାରେ ଶ୍ରୀଲୋକନାଥଙ୍କ ଦ୍ୱାରଫିଟା ନୀତି ଏବଂ ରାତି ୨ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅନୁଷ୍ଠିତ ହେବ । ରାତି ୨ଟା ପରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଶୃଙ୍ଖଳିତ ଦର୍ଶନ ତଥା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକନାଥଙ୍କ ପୀଠ ପରିସରରେ ୧୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।

ଶ୍ରୀଧବଳେଶ୍ୱର ବାବା, ଆଠଗଡ଼, କଟକ: କଟକ ସହର ଓ ଆଠଗଡ଼ ନିକଟବର୍ତ୍ତୀ ବାବା ଧବଳେଶ୍ୱରପୀଠରେ ମହାଶିବରାତ୍ରୀଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଜାଗର ଉତ୍ସବରେ ଭକ୍ତମାନେ ଝୁଲାପୋଲ ମାଧ୍ୟମରେ ମନ୍ଦିରକୁ ପ୍ରବେଶ କରିବା ସହିତ ମନ୍ଦିର ପରିସରରେ ସମୁହ ଦୀପଦାନ କରିଥାଆନ୍ତି । ଜାଗରଦିନ ଏଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ।

 

 

Leave A Reply

Your email address will not be published.