Latest Odisha News

BREAKING NEWS

ସୋମବାର ଶିବରାତ୍ରୀ ଲାଗି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ସୋମବାର ଦିନ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ସମସ୍ତ ପ୍ରସିଦ୍ଧ ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି । ଦେବ ଦେବ ମହାଦେବଙ୍କ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଥିଲାଗି ରାଜ୍ୟର ବଡ଼ ଶୈବପୀଠ ଗୁଡ଼ିକରେ ସମସ୍ତ ପ୍ରସ୍ତୁତି ସରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜ୍ୟର ପ୍ରାୟ ସମସ୍ତ ପ୍ରମୁଖ ଶୈବପୀଠରେ ଭକ୍ତମାନଙ୍କର ସମାଗମ ବୃଦ୍ଧି ପାଇବାରେ ଲାଗିଛି ।

ରାଜ୍ୟର ପ୍ରମୁଖ ଶୈବପୀଠ ଯଥା – ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିର, ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣୀ ମନ୍ଦିର, କଟକ ଧବଳେଶ୍ୱର ଶୈପପୀଠ, ନୀଳଗିରି ପଞ୍ଚଲିଙ୍ଗେଶ୍ୱର, ଢେଙ୍କାନାଳ କପିଳାଶସ୍ଥିତ ଚନ୍ଦ୍ରଶେଖରେଶ୍ୱର ଏବଂ ପୁରୀ ଶ୍ରୀଲୋକନାଥ ମନ୍ଦିରରେ ମହାସମାରୋହରରେ ଶିବରାତ୍ରୀ ପାଳିତ ହେଉଛି ।

ଭୁବନେଶ୍ୱରର ପ୍ରମୁଖ ଶୈବପୀଠ ଯଥା ମଞ୍ଚେଶ୍ୱର ମଞ୍ଚନାଥ ମହାଦେବ, ରଙ୍ଗ ମାଟିଆର ରଙ୍ଗନାଥ ଦେବ, ଶୈଳଶ୍ରୀ ବିହାରର ରଙ୍ଗେଶ୍ୱର ନାଥ, ପଥରଗାଡ଼ିଆର ସିଦ୍ଧେଶ୍ଵରର ବାବା, ଜାରୁଠେଙ୍ଗ ଗ୍ରାମର ବାଲୁଙ୍କେଶ୍ୱର ବାବା, ପଟିଆ ଗ୍ରାମର ନୀଳକଣ୍ଠେଶ୍ୱର ଦେବ, ଗାଡ଼କଣ ଗ୍ରାମର ଗଡ଼େମ୍ବର ଦେବ ଆଦି ମନ୍ଦିରରେ ମହାଶିବ ରାତ୍ରି ପାଳନ ପାଇଁ ପ୍ରସ୍ତୁତି ସରିଛି ।

 

ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ:
୧ – ଶ୍ରୀଲିଙ୍ଗରାଜ ମନ୍ଦିରରେ ତିନୋଟି ପର୍ଯ୍ୟାୟରେ ସାହାଣ ମେଲା ବା ସାଧାରଣ ଦର୍ଶନ ଅନୁଷ୍ଠିତ ହେବ । ୧ମ ପର୍ଯ୍ୟାୟରେ ଭୋର୍ ୩ଟା ୩୦ରୁ ସକାଳ ୧୦ଟା । ସେହିପରି ୨ୟ ପର୍ଯ୍ୟାୟରେ ଦିନ ୩ଟା ୪୫ରୁ ୪ଟା ୪୫ ମିନିଟ ପର୍ଯ୍ୟନ୍ତ ଏବଂ ଅନ୍ତିମ ପର୍ଯ୍ୟାୟରେ ରାତି ୧୦ଟା ରୁ ୧୧ଟା ପର୍ଯ୍ୟନ୍ତ ସାହାଣ ମେଲା ନୀତି ପାଳିତ ହେବ ।

୨ – ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣ ମେଲା ନୀତି ପରେ ପରେ ଛାମୁ ପରିଷ୍କାର ନୀତି ମହାସ୍ନାନ ଏବଂ ଠାକୁରଙ୍କ ବେଶ ନୀତି ଅନୁଷ୍ଠିତ ହେବ ।

୩ – ଠାକୁରଙ୍କ ସକାଳଧୂପ ନୀତି ଦିନ ୨ଟା ସମୟରେ ଅନୁଷ୍ଠିତ ହେବ ।

୪ – ଭୋଗମଣ୍ଡପ ନୀତି ଦିନ ୨ଟା ୪୫ ରୁ ୩ଟା ୪୫ ମଧ୍ୟରେ ଅନୁଷ୍ଠିତ ହେବ ।

୫ – ଟେରାଫିଟା ନୀତି ସନ୍ଧ୍ୟା ୭ଟା ୩୦ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

୬ – ଠାକୁରଙ୍କ ସନ୍ଧ୍ୟାଧୂପ ସହିତ ଅନ୍ୟାନ୍ୟ ରୀତିନୀତି ରାତି ୮ଟା ୫୫ରୁ ରାତି ୧୦ଟା ମଧ୍ୟରେ ହେବ ।

୭ – ସର୍ବଶେଷରେ ମହାଦେବଙ୍କ ମହାଦୀପ ନୀତି ରାତ୍ର ୧୦ ଘଟିକା ସମୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ହରିହର ଭେଟ ୩ଟା ୩୦ ମିନିଟରୁ ୪ଟା ୩୦ ମିନିଟ ମଧ୍ୟରେ ଅନୁଷ୍ଠିତ ହେବ । ଏହାପରେ ଠାକୁରଙ୍କ ବଡ଼ସିଂହାର ବେଶ ହୋଇ ପହଡ଼ ପଡ଼ିବ ।

Leave A Reply

Your email address will not be published.