Latest Odisha News

BREAKING NEWS

ବଡ଼ଦେଉଳରେ ନିୟନ୍ତ୍ରଣ ବାହାରେ ଭକ୍ତଙ୍କ ଭିଡ

ପୁରୀ: ଭକ୍ତଙ୍କ ପାଇଁ ଖୋଲିଛି ବଡ଼ଦେଉଳର ଚାରି ଦ୍ୱାର | ମହାପ୍ରଭୁଙ୍କ ଦର୍ଶନରେ ଯେପରି କିଛି ଅସୁବିଧା ନହେଉ ତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଦେଇଛନ୍ତି ନୂଆ ସରକାର | ଚାରି ଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ | ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଲାଗୁଛି ଭିଡ | ବର୍ତ୍ତମାନ ସ୍ଥିତି ଏମିତି ଯେ ଭିଡ ନିୟନ୍ତ୍ରଣ କରିବା ଅସମ୍ଭାଳ ହୋଇ ପଡିଛି | ପୂର୍ବ ଅପେକ୍ଷା ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ |

ତେବେ ଆଜି ପୂର୍ବଭଳି ଶ୍ରୀମନ୍ଦିର ଭିତରେ ସାତପାହାଚଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ଭିତରକୁ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଛଡ଼ାଯାଇଛି। କିନ୍ତୁ ଭକ୍ତ ନାଟମଣ୍ଡପ ଭିତରକୁ ଦର୍ଶନ ପାଇଁ ଯାଉଥିବା ଭକ୍ତ ବାହାରକୁ କିପରି ବାହାରିବେ ତାର ବ୍ୟବସ୍ଥା କରାଯାଇନାହିଁ | ଯେଉଁ ଦ୍ୱାରା ଦେଇ ଭକ୍ତ ଯାଉଥିଲେ ସେଇ ଦ୍ୱାରା ଦେଇ ବାହାରକୁ ଆସିବାକୁ ଥିବାବେଳେ ଭିତରେ ଫସିରହୁଥିଲେ ଭକ୍ତ | ସେପଟେ ବାହାରୁ ଚାରିଦ୍ବାର ଦେଇ ଭକ୍ତ ଧାଡ଼ିରେ ଯାଉଥିଲେ ମଧ୍ୟ ସାତପାହାଚ ବ୍ୟାରିକେଡ୍‌ଠାରେ ଅଟକୁଥିଲେ। ଯାହା ଭିତର ବେଢ଼ାରେ ବି ଅସମ୍ଭାଳ ଭିଡ଼ ଜମାଇଥିଲେ |

ଆଜି ଶେଷ ରଜ ତା ଉପରେ ପୁଣି ରବିବାର ହୋଇଥିବାରୁ ଶ୍ରୀମନ୍ଦିରରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଛି | ହଜାର ହଜାର ଭକ୍ତ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ଭିଡ଼ ଏତେ ବଢ଼ି ଯାଇଥିଲା ଯେ ସିଂହଦ୍ବାର ଦେଇ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତଙ୍କ ଧାଡ଼ି ସିଂହଦ୍ବାର ରଥ ଚକଡ଼ାଠାରୁ ଦୋଳବେଦି କୋଣ ରାସ୍ତା, ବ୍ୟାରିକେଡ୍‌ ଦେଇ ପୁଣି ସିଂହଦ୍ବାର ପର୍ଯ୍ୟନ୍ତ ଲମ୍ବିଥିଲା। ସେହିଭଳି ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଧାଡ଼ି ଗାଣ୍ଡୁଆ ଚଉରା ଛକ ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ମୁଣ୍ଡଫଟା ଖରା ସାଙ୍ଗକୁ ନିୟନ୍ତ୍ରଣ ବାହାରେ ଭିଡ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସହ କିଛି ଦର୍ଶନର ଲାଭ ପାଇଥିବା ବେଳେ ଆଉ କିଛି କେବଳ ତିକ୍ତ ଅନୁଭୂତି ନେଇ ଫେରିଛନ୍ତି। ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଅସହ୍ୟ ଯନ୍ତ୍ରଣା ଭୋଗିଛନ୍ତି ଭକ୍ତ। କିଛି କିଛି ଭକ୍ତ ଖରା ସାଙ୍ଗକୁ ଭିଡ ସହି ନପାରି ଚେତା ମଧ୍ୟ ହରାଇଥିଲେ | ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ନିଆଯାଇଥିଲା | ଯାହାକୁ ନେଇ ଭକ୍ତ ନିଜର କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଦୃଢ ଦାବି ପ୍ରକାଶ କରିଛନ୍ତି |

ସେପଟେ ଅନିୟନ୍ତ୍ରିତ ଭିଡକୁ ନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, ଭିଡ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି | ଏଥିପାଇଁ ସବୁ ଦ୍ୱାରରେ ବ୍ୟାରିକେଡ଼ ବ୍ୟବସ୍ଥା ସହିତ ଧାଡିରେ ଭିତରକୁ ଭକ୍ତଙ୍କୁ ଛଡାଯାଉଛି | ଏହା ସହିତ ଚାରିଦ୍ୱାର ଖୋଲା ଯିବା ପରେ ଏହା ବର୍ତ୍ତମାନ ଦେଖାଯାଉଛି ଯେ ଭିଡ କେଉଁ ମାତ୍ରାରେ ହେଉଛି | ସେନେଇ ଆଗକୁ ଆହୁରି ବ୍ୟବସ୍ଥା କରାଯିବ | ଏଥିପାଇଁ ସ୍ୱତନ୍ତ୍ର ପରିଚାଳନା କମିଟି ବୈଠକ ଏବଂ ଛତିଶା ନିଯୋଗ ବୈଠକ ବସାଯାଇ ଆଲୋଚନା କରାଯିବ | ଆଲୋଚନା କରାଯାଇ ତୁରନ୍ତ ଏହାକୁ କାର୍ଯ୍ୟରେ ଲଗାଯିବ |

Leave A Reply

Your email address will not be published.