Latest Odisha News

ଆଜି ପବିତ୍ର ଅଳାଁ ନବମୀ, ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ବର: ଆଜି ପବିତ୍ର ଅଳାଁ ନବମୀ। ରାଧା ପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଭକ୍ତଙ୍କ ପ୍ରବଳ ଭିଡ଼।

ଏହି ପବିତ୍ର ଅଳାଁ ନବମୀ ଅବସରରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ଼ ମଧ୍ୟରେ ସିସିଟିଭି, ଲାଇଟିଙ୍ଗ ସହିତ ଫ୍ୟାନ ବ୍ୟବସ୍ଥା କରାଯାଇଛି।

ଉଲ୍ଲେଖଯୋଗ୍ୟ, ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାଆନ୍ତି। ତେଣୁ ବର୍ଷସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ। କିନ୍ତୁ ଅଁଳା ନବମୀ ଦିନ ଶ୍ରୀଶ୍ରୀ ରାଧାରାଣୀ ଓଡ଼ିଆଣୀ ବେଶ ସାଜି କାଣିଆକଛା ମାରିଥିବାରୁ ତାଙ୍କ ପାଦପଦ୍ମ ଦର୍ଶନ କରିବାର ସୁଯୋଗ ମିଳିଥାଏ। ଠାକୁରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳାଫଳ ମାଳ ଓ ଡାଇମଣ୍ଡ୍‌ କଟା ଚାପସରି, ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗପାଟିଆ ମାଳ, ସୁବର୍ଣ୍ଣ ଚକିମାଳ, ସୁବର୍ଣ୍ଣ କମରପଟି, ସୁବର୍ଣ୍ଣ ଚାରି ସରିଆ ଚନ୍ଦ୍ରହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରିଆମାଳ, ସୁବର୍ଣ୍ଣ ତାବିଜମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖିମାଳ, ପାଦରେ ସୁବର୍ଣ୍ଣ ନୂପୁର, ଘୁଙ୍ଗୁର, ବାଙ୍କି, ପାପଦ୍ମ ଓ ଚୁପୁଲି ଶୋଭା ପାଏ।

 

Comments are closed.