ନୂଆଦିଲ୍ଲୀ: ଦେଶରେ ଇଣ୍ଡିଗୋ ସଙ୍କଟକୁ ନେଇ ଏବେ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଅସ୍ଥିରତା ଲାଗି ରହିଛି । ଇଣ୍ଡିଗୋ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଇଣ୍ଡିଗୋକୁ ଶୀତକାଳୀନ ବିମାନ ସଂଖ୍ୟା ୫ ପ୍ରତିଶତ କମାଇବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ନିର୍ଦ୍ଦେଶ ଦେଇଛି । ପରିଚାଳନା ଅକ୍ଷମତା ଯୋଗୁଁ ୨୦୨୫ ଶୀତ ସିଡ୍ୟୁଲ୍ କମାଇବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଇଣ୍ଡିଗୋ ପୂର୍ବ ଶୀତ ସିଡ୍ୟୁଲ୍ ତୁଳନାରେ ଡିପାର୍ଚର୍ ୯ ପ୍ରତିଶତରୁ ଅଧିକ ବଢ଼ାଇଥିଲା । କିନ୍ତୁ ଅନୁମୋଦିତ ସଂଖ୍ୟାରୁ ବହୁତ କମ୍ ବିମାନ ପରିଚାଳନା କରୁଥିଲା । ଇଣ୍ଡିଗୋ ଦୈନିକ ୨୨୦୦ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରେ । ନୂଆ ନିର୍ଦ୍ଦେଶ ଅନୁସାରେ ଦୈନିକ ଇଣ୍ଡିଗୋ ବିମାନ ଉଡ଼ାଣ ସଂଖ୍ୟା ୧୧୦କୁ ହ୍ରାସ ପାଇବ । ଆସନ୍ତାକାଲି ଅପରାହ୍ନ ୫ଟା ସୁଦ୍ଧା ସଂଶୋଧିତ ସିଡ୍ୟୁଲ୍ ଦାଖଲ କରିବାକୁ ନିଦ୍ଦେଶ ଜାରି ହୋଇଛି ।
ସେପଟେ, ବେସାମରିକ ମନ୍ତ୍ରୀ ରାମମୋହନ ନାୟଡୁ କହିଛନ୍ତି ଯେ, ଯଦି ଇଣ୍ଡିଗୋ ନିଜର ଆଭିମୁଖ୍ୟ ନବଦଳାଇ ତେବେ ଆକ୍ସନ ଆହୁରି କଡ଼ା ନିଆଯାଇପାରେ । ଆମେ ଇଣ୍ଡିଗୋର ମାର୍ଗ ଆହୁରି କମ୍ କରିବୁ । ଏବେ ୨,୨୦୦ଉଡାଣ ହେଉଛି । ଆମେ ନିଶ୍ଚିତ ଭାବରେ ଏହାକୁ କମ୍ କରିବୁ । ୧ ରୁ ୮ ଡିସେମ୍ବ ପର୍ଯ୍ୟନ୍ତ ରଦ୍ଦ ହୋଇଥିବା ୭,୩୦୦,୬୫୫ ପିଏନ୍ଆର ପାଇଁ ୭୪୫ କୋଟି ଟଙ୍କା ଦିଆଯାଇ ସାରିଛି । ଏହା ବ୍ୟତୀତ ୯୦୦୦ ଯାତ୍ରୀଙ୍କ ବ୍ୟାଗ୍ରୁ ୬୦୦୦ବ୍ୟାଗ୍ ଫେରାଇ ଦିଆସରିଛି ।
ସୂଚନାଯୋଗ୍ୟ, ଡିସେମ୍ବର ୨ରୁ ଏକାଧିକ ବିମାନ ଉଡ଼ାଣ ବାତିଲ ହେବା ପରେ ଯାତ୍ରୀଙ୍କ କ୍ରୋଧ ବୃଦ୍ଧି ପାଉଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କହିଛି ଯେ, ନୂତନ ଉଡ଼ାଣ ଡ୍ୟୁଟି ସମୟ (FDTL) ନିୟମ ଏବଂ କର୍ମଚାରୀ ଅଭାବ ଯୋଗୁଁ ଇଣ୍ଡିଗୋ ଗତ କିଛି ଦିନ ଧରି ନିଜର ନିରନ୍ତର ସେବା ଦେଇପାରୁନି । ଉଡ଼ାଣ ବାତିଲ ହେବା ଫଳରେ ବିମାନବନ୍ଦରଗୁଡ଼ିକରେ ବିଶୃଙ୍ଖଳା ସୃଷ୍ଟି ହେଉଛି, ଯାହା ଫଳରେ ଲକ୍ଷ ଲକ୍ଷ ଯାତ୍ରୀ ହଇରାଣ ହେଉଛନ୍ତି ।