Latest Odisha News

ଖୁବଶୀଘ୍ର ଭୁବନେଶ୍ୱରରୁ ଭବାନୀପାଟଣା ବିମାନ ସେବା, ଡିଜିସିଏ ଦେଲା ଅନୁମତି

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଖୁବଶୀଘ୍ର ଭାରତର ବିମାନ ବନ୍ଦର ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି। ସୋମବାର ଦିନ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଉତ୍କେଲା ବିମାନ ବନ୍ଦରରୁ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିବା ପରେ ଏହି ଜିଲ୍ଲାକୁ ବିମାନ ଚଳାଚଳ ପାଇଁ ଅନୁମତି ମିଳିଛି। ଭାରତ ସରକାରଙ୍କ ‘ଉଡ଼ାନ’ ଯୋଜନାରେ ଏହି ବିମାନ ବନ୍ଦରକୁ ମଞ୍ଜୁରୀ ମିଳିଛି।

ଡିଜିସିଏ ଅନୁମତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଉତ୍କେଲା ବିମାନ ବନ୍ଦରକୁ ବିମାନ ସେବା ଆରମ୍ଭ କରିବା ପାଇଁ ଡିଜିସିଏ ଲାଇସେନ୍ସ ମିଳିଥିବାରୁ ଖୁସି ଲାଗୁଛି। ଖୁବ୍ ଶୀଘ୍ର ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ହେବ। ଏହା ଯୋଗାଯୋଗ, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳର ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବ।

ଭବାନୀପାଟଣା ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ଉତ୍କେଲାଠାରେ ୧୯୬୨ ମସିହାରେ ନିର୍ମିତ ହୋଇଥିଲା ଏୟାରଷ୍ଟ୍ରିପ୍। ଏହାର ରନଓ୍ୱେ ସମ୍ପ୍ରସାରଣ, ଟର୍ମିନାଲ ବିଲଡିଂ, ଷ୍ଟାଫ୍ କ୍ୱାର୍ଟର୍ସ, ବାରାକ, ଫାୟାର ଷ୍ଟେସନ ଆଦି କାମ ପ୍ରାୟତଃ ଶେଷ ହୋଇଛି।

ପୂର୍ବରୁ ଗତ ଜାନୁଆରୀ ୭ ତାରିଖରୁ ରାଉରକେଲା ବିମାନବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଥିଲା। ତେବେ ଉଦଘାଟନର ୬ ମାସରୁ କମ୍ ସମୟ ମଧ୍ୟରେ ରାଉରକେଲାରୁ ନିୟମିତ ଅନିୟମିତ ସେବା ଥିବା ବିମାନ ସେବା ଯାତ୍ରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ନିୟମିତ ଉଡ଼ାଣ ବାତିଲ ହେଉଥିବା ବେଳେ ଡିଜିସିଏ ପକ୍ଷରୁ ରାଉରକେଲା ବିମାନ ବନ୍ଦରରୁ ଉଡ଼ାଣ ପାଇଁ ଅନୁମତି ମିଳିଥିଲା।

Comments are closed.