Latest Odisha News

ଚଳିତ ବର୍ଷ ଜବତ ହୋଇଛି ୨୦ କେଜି ବ୍ରାଉନ ସୁଗାର: ଡିଜିପି

ଭୁବନେଶ୍ୱର: ବ୍ରାଉନ ସୁଗାର ଜବତରେ ପୁଣି ପୋଲିସକୁ ମିଳିଛି ବଡ ସଫଳତା । ଗୋଟିଏ ଦିନରେ ୪ କେଜି ୨୫ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ । ଏହି କାରବାରରେ ଜଳେଶ୍ଵର ଥାନା ଅଞ୍ଚଳରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଏ ବର୍ଷ ଏସଟିଏଫ ହାତରେ ଲାଗିଛି ୨୦ କେଜି ୭୩୬ ଗ୍ରାମ ବ୍ରାଉନ ସୁଗାର । ୨୨ ଟି ମାମଲାରେ ୪୩ ଜଣଙ୍କୁ କାବୁ କରିବାରେ ମଧ୍ୟ ଏସଟିଏଫ ସଫଳ ହୋଇଛି । ଗତ ୮ ବର୍ଷ ତୁଳନାରେ ଏହା ଏକ ରେକର୍ଡ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡିଜିପି ଅଭୟ ।

ସେହିପରି ଚୋରା ଗଞ୍ଜେଇ ଚାଲାଣରେ ବି ସର୍ବାଧିକ ଜବତ ହୋଇଛି । ଏ ଯାଏଁ ୬୩୦ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଡିଜିପି କହିଛନ୍ତି ।ତଦନ୍ତ ସମୟରେ ଏ ସମସ୍ତ ନିଶା ଦ୍ରବ୍ୟ ଚାଲାଣର ମୁଖ୍ୟ ରାସ୍ତା ପାଲଟିଛି ଭାୟା କଲିକତାରୁ ଓଡିଶା । ଏ ଯାଏଁ କଲିକତା ଲିଙ୍କ୍ ସ୍ପଷ୍ଟ ହୋଇଥିବା ବେଳେ ଆଉ କେଉଁ ସ୍ଥାନ ସହିତ ଓଡ଼ିଶା ଲିଙ୍କ୍ ରହୁଛି ତାହାର ତଦନ୍ତ ଜାରି ରହିଛି । ଏପରିକି ବିଦେଶ ଲିଙ୍କକୁ ମଧ୍ୟ ଖୋଳତାଡ କରାଯାଇଥିବା କହିଛନ୍ତି ଡିଜିପି ।

ଗଞ୍ଜେଇ ଚାଲାଣ ହେଉଛି ଓଡିଶା ଓ ଆନ୍ଧ୍ର ସୀମା ଅଞ୍ଚଳ । ଏ ସବୁ କାରବାର ରୋକିବା ଦିଗରେ ଓଡ଼ିଶା ପୋଲିସ ଅଭିଯାନ ଜାରି ରଖିଛି । ସମସ୍ତ ପୋଲିସ କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଯେଉଁଠି ପୋଲିସର ସଂପୃକ୍ତି ରହିବ ସେଠି କାର୍ଯ୍ୟାନୁଷ୍ଠାନ କରାଯିବ । ଆଗକୁ ଏହି ଅଭିଯାନକୁ ଜୋରଦାର କରାଯିବ ବୋଲି ଡିଜିପି କହିଛନ୍ତି।

Leave A Reply

Your email address will not be published.