ଭୁବନେଶ୍ବର:ଓଡ଼ିଶା ଫେରିଲେ ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ଓଡ଼ିଶା ପୋଲିସର ପଦକ ବିଜେତା କ୍ରୀଡ଼ାବିତ । ସେଠାରେ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ଅବସରରେ ରାଜ୍ୟ ପୋଲିସର ସଫଳ କ୍ରୀଡ଼ାବିତମାନେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏଥିସହ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡିଜିପି ଓ ଖେଳାଳିଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।

ଏହି ପଦକ ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ଓ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ । ଏଥିସହ କ୍ରୀଡ଼ାବିତଙ୍କ ଏହି ଅସାଧାରଣ ସଫଳତା ଦେଶ, ଓଡ଼ିଶା ରାଜ୍ୟ ତଥା ଓଡ଼ିଶା ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି କହିଛନ୍ତି ।
ସୂଚନାନୁସାରେ;ବର୍ମିଂହାମରେ ଜୁନ୍ ୨୭ରୁ ଜୁଲାଇ ୬ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡ଼ା ୨୦୨୫ରେ ୭ ଜଣ ଓଡ଼ିଶା ପୋଲିସ କର୍ମଚାରୀ (୫ ପୁରୁଷ ଏବଂ ୨ ମହିଳା)ଙ୍କ ଏକ ଦଳ ଭାରତୀୟ ପୋଲିସ ଦଳର ପ୍ରତିନିଧିତ୍ୱ କରି ୨୦ ପଦକ ବିଜୟୀ ହୋଇ ଭାରତୀୟ କ୍ରୀଡା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଲେଖିଛନ୍ତି । ଓଡ଼ିଶା ପୋଲିସର ଖେଳାଳିମାନେ ବିଭିନ୍ନ ଆଥଲେଟିକ୍ସ ଏବଂ କରାଟେ ଇଭେଣ୍ଟରେ ବ୍ୟକ୍ତିଗତ ଭାବରେ ୧୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ ସହ ମୋଟ ୨୦ ପଦକ ହାସଲ କରିଛନ୍ତି ।

ତେବେ ଆଜି ପୂର୍ବାହ୍ନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ ପଦକ ବିଜେତା କ୍ରୀଡ଼ାବିତମାନେ । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସେଠାରେ ଖେଳାଳିଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।
Comments are closed.