Latest Odisha News

BREAKING NEWS

ଝୁଲା ପୋଲ ପାଇଁ ଧବଳେଶ୍ୱର ପୀଠକୁ ଭକ୍ତଙ୍କୁ ବାରଣ, ୧୪୪ ଧାରା ଜାରି

କଟକ: ବଡ଼ଓଷାରେ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ହେବନି ଯାତ୍ରା । ଗୁଜରାଟର ମୋର୍ବି ଅଘଟଣ ପରେ ସୋମବାର ଝୁଲା ପୋଲ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା । ଆଜି ଜିଲ୍ଲା ପ୍ରଶାସନ ବଡ଼ଓଷା ଯାତ୍ରାକୁ ବାତିଲ୍ କରିଛି ।

କଟକ ଏସପି ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁଙ୍କୁ ବାରଣ ନେଇ ସୂଚନା ଦେଇଛନ୍ତି । ୨୫୪ ମିଟର ଝୁଲା ପୋଲର ସ୍ଥିତି ନେଇ ଆଶଙ୍କା ଭିତରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ଶ୍ରଦ୍ଧାଳୁଙ୍କୁ ବାରଣ ପରେ ଲକ୍ଷ ଲକ୍ଷ ଟଙ୍କାର ପୂଜା ସାମଗ୍ରୀ କିଣିଥିବା ବ୍ୟବସାୟୀ ଏବେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ।

ଗୁଜରାଟରେ ଝୁଲା ବ୍ରିଜ୍ ଭୁଶୁଡ଼ି ୧୪୦ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଥିବା ଝୁଲାପୋଲର ସର୍ଭେ ଆରମ୍ଭ କରିଛି ପ୍ରଶାସନ । ବିଶେଷଜ୍ଞ ଟିମ୍ ଝୁଲାପୋଲର ଅବସ୍ଥାକୁ ପରଖୁଛନ୍ତି । ଆଠଗଡ଼ ଧବଳେଶ୍ୱର ପୀଠରେ ଥିବା ଝୁଲାପୋଲର ମରାମତି ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ତେବେ ପୀଠରେ ରୀତିନୀତି ଜାରି ରହିବ ବୋଲି ପ୍ରଶାସନ କହିଛି ।

ଧବଳେଶ୍ୱର ଝୁଲା ପୋଲର ଯାଞ୍ଚ ବିଶେଷଜ୍ଞ ଦଳ କରିଥିବା ବେଳେ ୧୨ଟି ସ୍ଥାନରେ ଫାଟ ଥିବା ଜଣାପଡ଼ିଛି । କାର୍ତ୍ତିକ ମାସରେ ହେଉଥିବା ବଡ଼ ଓଷାରେ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ହୋଇଥାଏ । ତେବେ ପ୍ରବଳ ଭିଡ଼କୁ ଦେଖି ପ୍ରଶାସନ ଚଳିତ ବର୍ଷ ଯାତ୍ରା ବାତିଲ୍ କରିଛି । ଧବଳେଶ୍ୱର ପୀଠରେ ୨୦୦୬ ମସିହାରେ ଝୁଲା ପୋଲ ନିର୍ମାଣ ହୋଇଥିବା ବେଳେ ଗୋଟିଏ ଥରରେ ୬ ଶହ ଜଣ ଯିବା ଆସିବା କ୍ଷମତା ରହିଛି ।

Leave A Reply

Your email address will not be published.