Latest Odisha News

୧୦୬ ବର୍ଷ ବୟସରେ ଆଖି ବୁଜିଲେ ବାଲିକୁଦାର ଗାନ୍ଧୀ ବିଶ୍ୱନାଥ ଦାସ

ଜଗତସିଂହପୁର: ବାଲିକୁଦାର ଗାନ୍ଧୀ ବିଶ୍ୱନାଥ ଦାସଙ୍କ ଦେହାନ୍ତ ହୋଇଛି । ୧୦୬ ବର୍ଷ ବୟସରେ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ ଆଖି ବୁଜିଛନ୍ତି । ଗତ କିଛିଦିନ ଧରି ବିଶ୍ୱନାଥ ଅସୁସ୍ଥ ଥିବାବେଳେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ବିଶ୍ୱନାଥଙ୍କ ପାର୍ଥିବ ଶରୀରକୁ ଭଗବାନସିଂଧୋଳ ଗାଁରେ ଲୋକେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସ ୧୯୧୭ ମସିହା ଜୁନ୍ ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସ୍କୁଲରେ ପଢ଼ିବା ସମୟରେ ମାତ୍ର ୧୬ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଦୁଇଥର ଜେଲ୍ ଯାଇଥିଲେ ବିଶ୍ୱନାଥ । ଏହି ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ୨୦୨୦ ମସିହା ଅଗଷ୍ଟ ୯ କ୍ରାନ୍ତି ଦିବସରେ ସମ୍ବର୍ଦ୍ଧିତ କରିଥିଲେ ରାଷ୍ଟ୍ରପତି ।

ରାଜ୍ୟପାଳଙ୍କ ଦ୍ଵାରା ପ୍ରାୟ ୭ ଥରରୁ ଅଧିକ ଥର ସମ୍ବର୍ଦ୍ଧିତ ହୋଇଥିଲେ ବିଶ୍ୱନାଥ । ବ୍ରିଟିଶ ଶାସନ ସମୟରେ ହୋଇଥିବା ଏରସମା ଥାନା ପୋଡ଼ି ଘଟଣାରେ ମଧ୍ୟ ସ୍ୱର୍ଗତ ଦାସ କାରାବରଣ କରିଥିଲେ । ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ହରାଇ ସମସ୍ତେ ଗଭୀର ଭାବେ ମର୍ମାହତ ।

Leave A Reply

Your email address will not be published.