Latest Odisha News

BREAKING NEWS

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ନେତା ରାଜେନ୍ଦ୍ର ଦାସ

ଅବନ୍ତୀଙ୍କ ପାଇଁ ହୋଇପାରେ ସମସ୍ୟା!

ଧାମନଗର: ଧାମନଗର ଉପନିର୍ବାଚନ  ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ରାଜେନ୍ଦ୍ର ଦାସ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି  ରାଜେନ୍ଦ୍ର ଦାସ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।  ଆଉ କିଛି ସମୟ ପରେ ନାମାଙ୍କନ ପତ୍ର ଭରିବେ ବିଜେଡି ନେତା ରାଜେନ୍ଦ୍ର ଦାସ । ସାମ୍ବାଦିକମାନେ ପ୍ରଶ୍ନ କରିବା ପରେ  ଏନେଇ ପ୍ରତିକ୍ରିୟା ରଖି ସ୍ପଷ୍ଟ କରିଛନ୍ତି ରାଜେନ୍ଦ୍ର ଦାସ ।

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ରାଜେନ୍ଦ୍ର ଦାସଙ୍କ ଆହୁରି କହିଛନ୍ତି ଯେ ସେ ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବେ । ଏହା ସହ ସେ କହିଛନ୍ତି୨୦୧୯ ନିର୍ବାଚନରେ ଦିବଂଗନ୍ତ ବିଧାୟକ ବିଷ୍ଣୁ ସେଠୀଙ୍କଠାରୁ ଅଳ୍ପ ବ୍ୟବଧାନରେ ହାରିଥିଲି  । କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ସେତେବେଳେ ନିର୍ବାଚନ ହାରିଥିଲି  । ଏବେ ମୋ ଉପରେ ଲୋକଙ୍କ ସିମ୍ପାଥି ଅଧିକ ଅଛି । ନିର୍ବାଚନ ଏଥର ଜିତିବେ ବୋଲି କହିଛନ୍ତି ରାଜେନ୍ଦ୍ର ଦାସ । ତାଙ୍କ ସମର୍ଥକଙ୍କ ସହ ସେ ନାମାଙ୍କନ ଦାଖଲ କରିବା ପାଇଁ ବାହାରିଥିବା ସୂଚନା ମିଳିଛି ।

ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଆଜି ମଧ୍ୟ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନାମାଙ୍କନ ପତ୍ର ଦାଖଲ କରିବେ । ଧାମନଗର ଉପନିର୍ବାଚନ ପାଇଁ ଅବନ୍ତୀ ଦାସ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ବାହାରିବାକୁ ଅପେକ୍ଷା କରିଛନ୍ତି । ଦଳ ତାଙ୍କୁ ଟିକେଟ ଦେଇଥିବାରୁ ସେ ବିଜୟୀ ହେବେ ବୋଲି ମଧ୍ୟ କହିଛନ୍ତି । ବିଜେଡିର ବହୁ ବରିଷ୍ଠ ନେତା ଶୋଭାଯାତ୍ରାରେ  ସାମିଲ ହେବା ପାଇଁ ଭଦ୍ରକରେ ପହଁଚିଛନ୍ତି ।

ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରଥମେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଦଳ ଭିତରେ ଆଲୋଚନା ହୋଇଥିଲା । ଅନୁକମ୍ପାମୂଳକ ଭୋଟ ପାଇବା ପାଇଁ ଦିବଂଗନ୍ତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜଙ୍କୁ ବିଜେପି ଟିକେଟ ଦେବା ପରେ ବିଜେଡି ମହିଳା କାର୍ଡ ଖେଳିଥିଲା । ବିଜେଡି ପକ୍ଷରୁ  ଅବନ୍ତୀ ଦାସଙ୍କ ନାମ ଘୋଷଣା ପରେ ଧାମନଗର ବିଜେଡିରେ ଅସନ୍ତୋଷ ଦେଖା ଦେଇଥିଲା । ୨୦୧୯ରେ ହାରିଥିବା ରାଜେନ୍ଦ୍ର ଦାସ ଏଥର ମଧ୍ୟ ଟିକେଟ ପାଇଁ ଦାବିଦାର ଥିଲେ । ତାଙ୍କୁ ଟିକେଟ ନମିଳିବାରୁ କର୍ମୀମାନେ ଅବନ୍ତୀଙ୍କ ପ୍ରାର୍ଥୀତ୍ୱକୁ ଆଦୌ ଗ୍ରହଣ କରିପାରୁନଥିବା ଚର୍ଚା ଜୋର ଧରିଥିଲା ।

ଅସନ୍ତୋଷ ଦେଖି ବିଜେଡିର ବରିଷ୍ଠ ନେତାମାନେ ରାଜେନ୍ଦ୍ର ଦାସଙ୍କ ସହ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନାରେ କିଛି ପ୍ରଭାବ ରାଜେନ୍ଦ୍ର ଦାସଙ୍କ ଉପରେ ପଡିନଥିଲା । ତେଣୁ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ବାହାରିଛନ୍ତି ।

ପୂର୍ବତନ ବିଧାୟକ  ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ମନୋନୟନପତ୍ର ଦାଖଲ କରିବା ପାଇଁ ଖୋଦ ବିଜେଡି କର୍ମୀମାନେ ଚାପ ପକାଇଥିଲେ । ସମର୍ଥକ ଓ ଶୁଭେଚ୍ଛୁଙ୍କ ଚାପ ଯୋଗୁଁ ସେ ନାମାଙ୍କନ ପତ୍ର ଦାଖଲ କରିବାକୁ ନିଷ୍ପତ୍ତି ନେଇଥିବା ତାଙ୍କ ସମର୍ଥକ ମାନେ କହିଛନ୍ତି ।

ତିନି ଦିନ ଧରି ରାଜେନ୍ଦ୍ର ଦାସଙ୍କ ମନେଇବାକୁ ଉଦ୍ୟମ କରିଥିଲେ ବିଜେଡି ନେତା  । ହେଲେ କୌଣସି ସୁଫଳ ମିଳି ପାରିଲା ନାହିଁ । ସୋସିଆଲ ମିଡିଆରେ  ରାଜୁଙ୍କ ଏକ ଲୁହ ଭିଜା ଚିଠି ମଧ୍ୟ ଭାଇରାଲ ହୋଇଥିଲା । ଏଥିରେ ଲେଖାଥିଲା ତାଙ୍କୁ ଷଡ଼ଯନ୍ତ୍ର କରି  ୨୦୧୯ ନିର୍ବାଚନରେ ହରାଇ ଦିଆଯାଇଥିଲା। ସେ ସ୍ବାଧୀନ ପ୍ରାର୍ଥୀ ହେବେ କି ନାହିଁ କର୍ମୀମାନଙ୍କୁ ପଚାରିଥିଲେ ।  ଏଥିରୁ ଜଣାପଡୁଥିଲା ସେ ନାମାଙ୍କନ ପତ୍ର ଦାଖଲ କରିବେ ।

ଦିବଙ୍ଗତ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପକ୍ଷରୁ ଗତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରଥମେ ଦାଖଲ କରିସାରିଛନ୍ତି । ତାଙ୍କ ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଧାୟକ ମୋହନ ମାଝି, ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଭ୍ରଦକର ସମସ୍ତ ଆସନରେ ଶାସକ ବିଜୁ ଜନତା ଦଳ ବିଜୟର ଟିକା ପିନ୍ଧିଥିବାବେଳେ କେବଳ ଧାମନଗର ଆସନ ବିଜେପି ହାତକୁ ଯାଇଥିଲା

ସେପଟେ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ବାବା ହରେକୃଷ୍ଣ ସେଠୀ ଗତକାଲି ନାମାନଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଶ୍ରୀ ସେଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଭଦ୍ରକ ଜିଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ ଶ୍ରୀ ସେଠୀଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହ ଅନେକ ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତା ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଧାମନଗର ବିଧାନସବା ଆସନ  । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନଭେମ୍ବର ୩ରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ  । ଏଥିସହିତ ନଭେମ୍ବର ୬ରେ ଭୋଟ ଗଣତି ହେବା ନେଇ ତାରିଖ ଘୋଷଣା ହୋଇଛି  ।

Comments are closed.