Latest Odisha News

ବୁଝାଇ ପାରିଲେନି ୨ ପ୍ରଣବ ! ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ରାଜେନ୍ଦ୍ର ଦାସ

ଭଦ୍ରକ: ଭଦ୍ରକ ବିଜେଡିରେ ବିଦ୍ରୋହ । ଟିକେଟ୍ ଦେଲାନି ଦଳ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ରାଜେନ୍ଦ୍ର ଦାସ । ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ଧାମନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଶେଷ ମୁହୂର୍ତ୍ତ ଯାଏ ରାଜେନ୍ଦ୍ର ଦାସଙ୍କ ନାଁ ଚର୍ଚ୍ଚା ହେଉଥଲା । କିନ୍ତୁ ଦଳ ରାଜେନ୍ଦ୍ରଙ୍କ ବଦଳରେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ଦଳ ଭିତରେ କୁହୁଳୁଥିବା ପୁଞ୍ଜିଭୂତ ଅସନ୍ତୋଷ ବିସ୍ଫୋରଣ ହୋଇଛି । ଆଜି ସମର୍ଥକଙ୍କ ଗହଣରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାଜେନ୍ଦ୍ର ଦାସ । ଯାହାକୁ ନେଇ ଖୁସି ଅଛନ୍ତି ତାଙ୍କ ସମର୍ଥକ ।

୨୦୦୯ ମସିହାରେ ରାଜେନ୍ଦ୍ର ଦାସ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ । ବିଜେପିର ବିଷ୍ଣୁ ସେଠୀଙ୍କ ସହ ତାଙ୍କର କଡ଼ା ପ୍ରତିଦ୍ୱନ୍ଦ୍ୱୀତା ହୋଇଥିଲା । ରାଜେନ୍ଦ୍ର ଦାସ ୪ ହଜାର ୯୪୪ ଭୋଟ୍ ବ୍ୟବଧ୍ୟାନରେ ବିଷ୍ଣୁଙ୍କୁ ହରାଇଥିଲେ । ସେତେବେଳେ ରାଜେନ୍ଦ୍ର ଦାସଙ୍କୁ ମୋଟ ୪୮ ହଜାର ୪୦୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଷ୍ଣୁଙ୍କୁ ମିଳିଥିଲା ୪୩ ହଜାର ୪୮୦ ଖଣ୍ଡ ଭୋଟ୍ ।

ତେବେ ୨୦୧୪ ମସିହାରେ ଦଳ ରାଜେନ୍ଦ୍ର ଦାସଙ୍କୁ ଟିକେଟ୍ ନଦେଇ ମୁକ୍ତିକାନ୍ତ ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା । ୨୦୧୯ରେ ବିଜେଡି ପୁଣି ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଷ୍ଣୁ ସେଠୀ ୪ ହଜାର ୬୨୫ ଭୋଟ ବ୍ୟବଧ୍ୟାନରେ ବିଜୟୀ ହୋଇଥିଲେ । ୨୦୧୯ରେ ବିଷ୍ଣୁ ସେଠୀଙ୍କୁ ୮୦ ହଜାର ୧୧୧ ଭୋଟ୍ ମିଳିଥିବା ବେଳେ ରାଜେନ୍ଦ୍ର ଦାସ ପାଇଥିଲେ ୭୫ ହଜାର ୪୮୬ ଖଣ୍ଡ ଭୋଟ୍ ।

ଧାମନଗର ଉପନିର୍ବାଚନରେ ବିଜେଡି ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ନକରିବା ପରେ ସେ ସ୍ୱାଧୀନ ଭାବେ ନାମାଙ୍କନ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ମାତ୍ର ୪ ହଜାର ଭୋଟରେ ହାରିଥିବା ରାଜେନ୍ଦ୍ର ଦାସ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଘାତକ ହେବେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ନଭେମ୍ବର ୩ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପରେ ୬ ତାରିଖରେ ଗଣତି ପରେ ଜଣାପଡ଼ିବ ଭୋଟର କାହାକୁ ଭରସା କଲେ ।

Leave A Reply

Your email address will not be published.