କଟକ: ବହୁଚର୍ଚ୍ଚିତ ଏସିଏଫ୍ (ACF) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ସ୍ତ୍ରୀ ତଥା ଅନ୍ୟତମ ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ ପାରଳାଖେମୁଣ୍ଡି କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଏହା ପୂର୍ବରୁ ହାଇକୋର୍ଟରେ ମଧ୍ୟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା।
ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ମଧ୍ୟ ତାଙ୍କୁ ଆଶ୍ୱସ୍ତି ମିଳିନଥିଲା। ଗତ ନଭେମ୍ବର ୧୮ ତାରିଖରେ ବିଦ୍ୟାଭାରତୀ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ, ଯେଉଁଠାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏହି ଘଟଣାରେ ପୂର୍ବରୁ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ବିଚାର ବିଭାଗୀୟ ହାଜତରେ ଅଛନ୍ତି।
ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏବେ ନିୟମିତ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିଛି। ଉଲ୍ଲେଖ ଯୋଗ୍ୟ ଯେ, ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ପରେ ନଭେମ୍ବର ୨୩ ତାରିଖରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।
