Latest Odisha News

BREAKING NEWS

ଏଥର ବିଶ୍ୱକପରେ କମାଲ କରିବେ ଏହି ୧୦ ଖେଳାଳି

ପୁରୀ: ଟି୨୦ ବିଶ୍ୱକପ ୧୬ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ । ଏଥର ବିଶ୍ୱକପରେ ୧୦ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହି ଖେଳାଳି ଏକାକୀ ମ୍ୟାଚ ପରିବର୍ତନ କରିବା କ୍ଷମତା ରଖିଛନ୍ତି । ଆସନ୍ତୁ ସେହି ଖେଳାଳିଙ୍କ ଉପରେ ନଜର ପକାଇବା ।
୧.ହାର୍ଦ୍ଦିକ ପାଣ୍ଡ୍ୟା(ଭାରତ): ଖରାପ ଫିଟନେସ ଏବଂ ଫର୍ମ ଯୋଗୁ ଭାରତୀୟ ଦଳରୁ ବାଦ ପଡିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ମାତ୍ର ଏହା ପରେ ସେ କଠିନ ପରିଶ୍ରମ କରି ଆଇପିଏଲରେ ଗୁଜରାଟ ଟିମକୁ ଚାମ୍ପିୟନ କରାଇଥିଲେ । ଏହା ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରି ସେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ୨୦୨୨ରେ ସେ ୧୯ ଟି୨୦ ମ୍ୟାଚରେ ୪୩୬ ରନ ସଂଗ୍ରହ କରିଛନ୍ତି । ବୋଲିଂରେ ମଧ୍ୟ ସେ ସର୍ବଦା ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି ।
୨.ୱାନିନ୍ଦୁ ହସରଙ୍ଗା (ଶ୍ରୀଲଙ୍କା): ଏସିଆ କପ କ୍ରିକେଟରେ ଶ୍ରୀଲଙ୍କାକୁ ବିଜୟୀରେ ୱାନିନ୍ଦୁ ହସରଙ୍ଗା ହୀରୋ ସାଜିଥିଲେ । ୨୦୨୧ ଓ ୨୨ରେ ତାଙ୍କ ବୋଲିଂ ପ୍ରଦର୍ଶନ ଜବରଦସ୍ତ ରହିଛି । ଏହା ବ୍ୟତୀତ ସେ ଦ୍ରୁତ ବେଗରେ ରନ ସଂଗ୍ରହ କରିବା ଦକ୍ଷତା ମଧ୍ୟ ରଖିଛନ୍ତି । ଏହି ବିଶ୍ୱକପରେ ସେ ଶ୍ରୀଲଙ୍କା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇ ପାରନ୍ତି ।

୩. ଜୋସ ବଟଲର (ଇଂଲଣ୍ଡ):ଇଂଲଣ୍ଡ ଟିମର ଅଧିନାୟକ ଜୋସ ବଟଲର ଚଳିତ ବର୍ଷ ଭଲ ପ୍ରଦର୍ଶନ କରିିଛନ୍ତି । ୧୮୯.୦୧ ଷ୍ଟ୍ରାଇକ ରେଟରେ ସେ ରନ ସଂଗ୍ରହ କରିବା ବିପକ୍ଷ ଦଳ ପାଇଁ ଚିନ୍ତାର କାରଣ ସାଜିଛି । ସବୁ ପ୍ରକାର ଶଟ ଖେଳିପାରୁଥିବା ଏହି ବ୍ୟାଟ୍ସମ୍ୟାନଙ୍କ ଉପରେ ଇଂଲଣ୍ଡର ସମସ୍ତ ଆଶା ଜଡିତ ।
୪. ଟ୍ରେଂଟ ବୋଲ୍ଟ( ନ୍ୟୁଜିଲାଣ୍ଡ): ନ୍ୟୁଜିଲାଣ୍ଡର ଅଭିଜ୍ଞ ପେସର ଟ୍ରେଂଟ ବୋଲଟ ବିଶ୍ୱକପରେ ଗେମ ଚେଞ୍ଜର୍ସ ସାବ୍ୟସ୍ତ ହେବେ ବୋଲି ସମୀକ୍ଷକ ମାନେ ଭବିଷ୍ୟବାଣୀ କରିଛନ୍ତି । ଗତ ବର୍ଷ ବିଶ୍ୱକପରେ ସେ ଭଲ ପ୍ରଦର୍ଶନ କରିଥିଲେ । ଉଭୟ ପଟକୁ ସୁଇଂ କରାଇପାରିବା ଦକ୍ଷତା ରଖିଥିବା ଏହି ବୋଲର ବ୍ୟାଟ୍ସମ୍ୟାନଙ୍କ ପାଇଁ କାଳ ସାଜିବାକୁ ଯାଉଛନ୍ତି ।
୫.ମହମ୍ମଦ ରିଜୱାନ (ପାକିସ୍ତାନ): ପାକିସ୍ତାନର ବ୍ୟାଟ୍ସମାନ ମହମ୍ମଦ ରିଜୱାନ ଟି୨୦ ର‌୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ୨୦୨୧ରେ ସେ ୧୩୪ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଛନ୍ତି । ଗତ ବର୍ଷ ବିଶ୍ୱକପରେ ମଧ୍ୟ ସେ ରନ ସଂଗ୍ରହରେ ତୃତୀୟ ସ୍ଥାନରେ ରହିଥିଲେ । ତେବେ ଲେଗ ସାଇଡରେ ଅତ୍ୟଧିକ ଶଟ ଖେଳୁଥିବାରୁ ଅଷ୍ଟ୍ରେଲିଆ ପିଚରେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।


୬.ବାବର ଆଜମ: ପାକିସ୍ତାନ ଟିମର ଅଧିନାୟକ ବାବର ଆଜମଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି । ତାଙ୍କ ଉପରେ ସମସ୍ତଙ୍କର ଅତୁଟ ବିଶ୍ୱାସ ରହିଛି । ଅଷ୍ଟ୍ରେଲିଆ ପିଚରେ ସେ ଦ୍ରୁତ ବେଗରେ ରନ ସଂଗ୍ରହ କରିଥାନ୍ତି । ଯାହା କି ପାକିସ୍ତାନ ପାଇଁ ଭଲ ଖବର । ରିଜୱାନଙ୍କ ସହ ତାଙ୍କ ଯୋଡି ଟି୨୦ରେ ବେଶ ଜମୁଛି ।
୭.ସୂର୍ଯ୍ୟକୁମାର ଯାଦବ (ଭାରତ): ୨ ବର୍ଷ ମଧ୍ୟରେ ଭାରତର ସୂର୍ଯ୍ୟକୁମାର ଯାଦବ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ ଭାବେ ଛାପ ଛାଡି ସାରିଛନ୍ତି । ଆନ୍ତର୍ଜାତୀୟ କ୍ୟାରିୟରରେ ସେ ୩୪ ମ୍ୟାଚରେ ୩୮.୭୦ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ଏବି ଡିଭିଲର୍ସଙ୍କ ପରି ସେ ପଡିଆରେ ସବୁ ଦିଗକୁ ଶଟ ଖେଳି ପାରନ୍ତି । ସେ ଏଥର ଭାରତ ପାଇଁ ଟ୍ରମ୍ପ କାର୍ଡ ସାଜିବାକୁ ଯାଉଛନ୍ତି ।

୮.ରୋହିତ ଶର୍ମା (ଭାରତ): ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏକାକୀ ମ୍ୟାଚ ଜିତାଇବା କ୍ଷମତା ରଖିଛନ୍ତି । ସେ ଫର୍ମରେ ରହିଲେ ତାଙ୍କୁ ଅଟକାଇବା ବୋଲରଙ୍କ ପାଇଁ କାଠିକର ପାଠ ହୋଇଥାଏ । ୨୦୨୨ରେ ୨୩ ମ୍ୟାଚରେ ୫୪୦ ରନ କରିଛନ୍ତି । ଏଥର ଅଧିନାୟକ ଏବଂ ଓପନର ଦାୟିତ୍ୱ ତୁଲାଉଥିବାରୁ ସମସ୍ତଙ୍କ ନଜର ତାଙ୍କ ପ୍ରଦର୍ଶନ ଉପରେ ରହିବ ।
୯.ବିରାଟ କୋହଲି(ଭାରତ): ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଖରାପ ଫର୍ମରେ ରହିଥିଲେ । ଏସିଆ କପରେ ସେ ଫର୍ମକୁ ଫେରିବା ସହ ପୂର୍ବାପେକ୍ଷା ଆହୁରି ଭୟଙ୍କର ବ୍ୟାଟ୍ସମ୍ୟାନ ସାଜିଛନ୍ତି । ଟି୨୦ ବିଶ୍ୱକପରେ ସେ ସର୍ବଦା ଭଲ ପ୍ରଦର୍ଶନ କରି ଆସିଛନ୍ତି । ୨୦୧୪ ଓ ୧୬ରେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ମଧ୍ୟ ରହିଛନ୍ତି । ଏଥର ତାଙ୍କ ପ୍ରଦର୍ଶନରେ ବ୍ୟତିକ୍ରମ ଘଟିବ ନାହିଁ ବୋଲି ପ୍ରଶଂସକମାନେ ଆଶାୟୀ ଅଛନ୍ତି ।
ଡେଭିଡ ୱାର୍ଣ୍ଣର(ଅଷ୍ଟ୍ରେଲିଆ): ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର କିଭଳି ଭୟଙ୍କର ବ୍ୟାଟ୍ସମ୍ୟାନ ତାହା ସମସ୍ତେ ଜାଣନ୍ତି । ଏଥର ଘରୋଇ ପିଚରେ ଟି୨୦ ବିଶ୍ୱକପ ଖେଳା ଯାଉଥିବାରୁ ସେ କେବେ ବି ସୁଯୋଗ ହାତଛଡା କରିବେ ନାହିଁ । ଗତ ବିଶ୍ୱକପରେ ସେ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ଥିଲେ । ପେସ ବୋଲର୍ସଙ୍କ ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ସ୍ପିନର୍ସଙ୍କ ବିପକ୍ଷରେ ସେ ସାମାନ୍ୟ ଅସହଜ ଅନୁଭବ କରିଥାନ୍ତି । ଯାହାର ଫାଇଦା ବିପକ୍ଷ ଦଳ ଉଠାଇ ପାରନ୍ତି ।

Leave A Reply

Your email address will not be published.