Latest Odisha News

ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ, କହିଲେ ଧାମନଗର ବିକାଶ ମୋ ଦାୟିତ୍ବ

ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ଆଜି ଭରଚୁଆଲ ମୋଡରେ ପ୍ରଚାର କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ୱ ମୋର ବୋଲି ନବୀନ ଭୋଟରଙ୍କୁ କହିଛନ୍ତି । ଅନ୍ୟ ଉପନିର୍ବାଚନରେ କହିବା ଭଳି ଏଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଧାମନଗର ଅଂଚଳର ବିକାଶ ନେଇ ମୁଁ ନିଜେ ଏହାକୁ ଦେଖିବି ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି  ଧାମନଗର ଅଞ୍ଚଳର ବିକାଶ ଦାୟିତ୍ୱ ମୋର ।  ଆଗାମୀ ୩ ତାରିଖରେ ଧାମନଗର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତି ଦାସଙ୍କୁ ଭୋଟ ଦେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।   ଏହା ସହ ଧାମନଗରବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଧାମନଗର ନିର୍ବାଚନ ମଣ୍ଡଳୀର ୧୩ଟି ସ୍ଥାନରେ ଆୟୋଜିତ ନିର୍ବାଚନୀ ସଭାକୁ ମୁଖ୍ୟମନ୍ତ୍ରୀ ସଂବୋଧନ କରିଥିଲେ ।  ପ୍ରତ୍ୟେକ ସଭାରେ ଧାମନଗରର ଅଞ୍ଚଳର ହଜାର ହଜାର ମହିଳା ଏହି ଭାଷଣ ଶୁଣିଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ କହିଥିଲେ  ବିଜୁ ଜନତା ଦଳ ସୁଖଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଆପଣମାନଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଧାମନଗରର ବିକାଶ ମଧ୍ୟ କେମିତି ଆଗକୁ ବଢ଼ିବ, ତାହା ମୁଁ ନିଜେ ଦେଖିବି। ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର। ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ଆମେ ପାଞ୍ଚ ବର୍ଷର କାମ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତ ଯେ  କାଳିଆ ଯୋଜନା ହେଉ, ବା ମିଶନ ଶକ୍ତି, ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସବୁ ଯୋଜନାର ସୁବିଧା ଆପଣମାନଙ୍କ ପାଖରେ ପହଞ୍ଚି ପାରିଛି । ମା’ ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କୁ ନୂଆ ପରିଚୟ ହୋଇଛି । ମା’ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି। ମା’ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ତେଣୁ ଜଣେ ମା’ଙ୍କୁ ମୁଁ ଆପଣଙ୍କ ବିଧାୟିକା ଭାବରେ ଦେଖିବାକୁ ଚାହେଁ, ଯାହା ଆପଣମାନେ ବି ଚାହାନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି ଏବଂ ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ। ଧାମନଗରର ୬ଟି ଯାକ ଜିଲ୍ଲା ପରିଷଦ ଆସନରେ ଆପଣମାନେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି। ତେଣୁ ମୋର ପୂରା ବିଶ୍ବାସ, ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢ଼ିବ।

ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବା ପୂର୍ବରୁ ଏହିସବୁ ଜନସଭାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ବ‌ାଇଁ, ପ୍ରୀତିରଞ୍ଜନ ଘଡ଼େଇ, ସାଂସଦ ମୁନ୍ନା ଖ‌ାଁ, ସୁଲତା ଦେଓ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ପ୍ରମୁଖ ବରିଷ୍ଠ ନେତୃବନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।

Leave A Reply

Your email address will not be published.