Latest Odisha News

BREAKING NEWS

ଧାନ ସଂଗ୍ରହର ବକେୟା ସବସିଡି ତୁରନ୍ତ ପ୍ରଦାନ ନିମନ୍ତେ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପତ୍ର

ଭୁବନେଶ୍ୱର: ରାଜ୍ୟକୁ ଧାନ ସଂଗ୍ରହ ବାବଦରେ ବକେୟା ସବସିଡି ଅର୍ଥ ତୁରନ୍ତ ପ୍ରଦାନ ନିମନ୍ତେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ନୂଆଦିଲ୍ଲୀ ପାର୍ଲାମେଣ୍ଟସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭେଟି ଏକ ପତ୍ର ପ୍ରଦାନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନସଂଗ୍ରହର ସବ୍‌ସିଡି ଅର୍ଥ ବକେୟା ବାବଦକୁ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପ୍ରମୁଖ ଧାନ ସଂଗ୍ରହକାରୀ ସଂସ୍ଥା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୨୦୬୬ କୋଟି ଟଙ୍କା ପାଇବାକୁ ଅଛି ।

ଏଥି ସହିତ ୨୦୧୯ ବର୍ଷରେ ଡିସେମ୍ବର ୩୧ ତ୍ରୈମାସରେ ଅଗ୍ରୀମ ସବ୍‌ସିଡି ବାବଦରେ ରାଜ୍ୟକୁ ୧୩୪୦ କୋଟି ଟଙ୍କା ମିଳିବାକୁ ଅଛି । ରାଜ୍ୟ ସରକାର ଅର୍ଥର ବିନିଯୋଗ ପ୍ରମାଣପତ୍ର ନିୟମିତ ଦାଖଲ କରୁଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ତରଫରୁ ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଯୋଗାଣ ନିଗମର ବ୍ୟାଙ୍କ ଋଣ ଓ ସୁଧ ବୋଝ ବଢ଼ିଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ସୁଧ ବାବଦ ଅର୍ଥକୁ ମଧ୍ୟ କେନ୍ଦ୍ର ସରକାର ଭରଣା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସହିତ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୨୦୧୫ ଅକେଫାବର ୩ ତାରିଖରେ ହୋଇଥିବା ବୁଝାମଣା ଅନୁଯାୟୀ ଧାନ ସଂଗ୍ରହ କରୁଥିବା ସଂସ୍ଥା ଧାନ ସଂଗ୍ରହ ବାବଦକୁ କୌଣସି ଆର୍ଥିକ ବୋଝ ନେବାକୁ ପଡ଼ିବ ନାହିଁ ।

ଧାନ ସଂଗ୍ରହ ପାଇଁ ଯେଉଁ ଅର୍ଥ ବ୍ୟୟ ହେବ, ତାହା ଆଗୁଆ ହିସାବ କରାଯାଇ ପ୍ରତି ୩ ମାସର ପ୍ରଥମ ମାସରେ ୯୦ ପ୍ରତିଶତ ଅର୍ଥ ସବ୍‌ସିଡି ଆକାରରେ କେନ୍ଦ୍ର ସରକାର ପ୍ରଦାନ କରିବେ । ପରବର୍ତ୍ତୀ ସମୟରେ ଅଗ୍ରୀମ ଅର୍ଥକୁ ବାଦ ଦିଆଯାଇ ପ୍ରୋଭିଜନାଲ୍‌ ସବ୍‌ସିଡି ଧାନ ସଂଗ୍ରହକାରୀ ସଂସ୍ଥାକୁ ପ୍ରଦାନ କରାଯିବ ।

ମାତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ସବ୍‌ସିଡି ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁଁ ଧାନ ସଂଗ୍ରହକାରୀ ସଂସ୍ଥା ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଅଗ୍ରୀମ ଓ ପ୍ରୋଭିଜନାଲ୍‌ ସବ୍‌ସିଡି ଅର୍ଥ ନିୟମିତ ଭାବେ ପ୍ରଦାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି ।

ସେହିପରି ରାଜ୍ୟ ବର୍ଷକୁ ପ୍ରାୟ ୨୪ ଲକ୍ଷ ମେଟି୍ରକ୍‌ ଟନ୍‌ ଚାଉଳ ଆବଶ୍ୟକ କରୁଥିବାବେଳେ ବଳକା ଚାଉଳ କେନ୍ଦ୍ର ଭଣ୍ଡାରକୁ ପ୍ରଦାନ କରାଯାଇଥାଏ । ବିଗତ ଖରିଫ୍‌ ବିପଣନ ବର୍ଷରେ ଭାରତୀୟ ଖାଦ୍ୟ ନିଗମ ୧୭.୮୪ ଲକ୍ଷ ମେଟି୍ରକ୍‌ ଟନ୍‌ ବଳକା ଚାଉଳ ରାଜ୍ୟରୁ ସଂଗ୍ରହ କରିବାବେଳେ ଚଳିତ ବର୍ଷ ରାଜ୍ୟରେ ରେକର୍ଡ ପରିମାଣର ଧାନ ସଂଗ୍ରହ ହେବା ଆଶା କରାଯାଉଥିବା ଦୃଷ୍ଟିରୁ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଶୀଘ୍ର ଓ ଠିକ୍‌ ସମୟରେ ବଳକା ଚାଉଳ ଉଠାଣ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।

ଏଥି ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଖାଉଟି ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରାଯାଇଥିବା ଦୃଷ୍ଟିରୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିୟମାବଳୀ ପ୍ରସ୍ତୁତ ସମୟରେ ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନ ଏବଂ ଜିଲ୍ଲା ଖାଉଟି ବିବାଦ ସମାଧାନ ଫୋରମ୍‌ର ସଭାପତି ଏବଂ ସଭ୍ୟମାନଙ୍କର ଦରମା ଓ ଭତ୍ତା ବାବଦକୁ ଅର୍ଥ କେନ୍ଦ୍ର ସରକାରଙ୍କ ଦ୍ୱାରା ବହନ କରାଯିବାର ବ୍ୟବସ୍ଥା ରଖିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ର ମନ୍ତ୍ରୀ ପାଶୱାନ୍‌କୁ ପତ୍ର ମାଧ୍ୟମରେ ଅନୁରୋଧ ଜଣାଇଛନ୍ତି ।

ଏଥି ସହିତ ପିଆଜର ଅହେତୁକ ଦରବୃଦ୍ଧିଜନିତ ସମସ୍ୟା ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ରମନ୍ତ୍ରୀ ପାଶ୍ୱାନଙ୍କ ସହ ଆଲୋଚନା କରି ରାଜ୍ୟକୁ ଅଧିକ ପିଆଜ କିପରି ଯୋଗାଣ ହୋଇପାରିବ ସେ ସଂପର୍କରେ ଅନୁରୋଧ କରିଥିଲେ ।

Leave A Reply

Your email address will not be published.