ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଖବର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦୁହେଁ ଇନଷ୍ଟାଗ୍ରାମରେ ମଧ୍ୟ ପରସ୍ପରକୁ ଅନଫଲୋ କରିଛନ୍ତି। ତେବେ ଉଭୟଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ଥିବା ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ଏହି ଖବର କେତେଦୂର ସଠିକ ସେନେଇ ନୀରବତା ଭାଙ୍ଗିଛନ୍ତି ହଲଙ୍କ ପତ୍ନୀ ଧନଶ୍ରୀ ବର୍ମା।
ନିକଟରେ ଧନଶ୍ରୀ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରିଛନ୍ତି। ଯେଉଁଥିରେ ସେ ଏହି ସବୁ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି। ପୋଷ୍ଟରେ ଧନଶ୍ରୀ ଲେଖିଛନ୍ତି ତାଙ୍କ ନୀରବତା କେବଳ ତାଙ୍କ ଦୁର୍ବଳତା ନୁହେଁ ବରଂ ତାଙ୍କ ଶକ୍ତି । ଗତ କିଛି ଦିନ ମୋ ପରିବାର ଏବଂ ମୋ ପାଇଁ ବହୁତ କଷ୍ଟଦାୟକ ଥିଲା। ପ୍ରକୃତରେ ଚିନ୍ତାଜନକ ବିଷୟ ହେଉଛି ଭିତ୍ତିହୀନ ଲେଖା ମାଧ୍ୟମରେ ମୋତେ ବଦନାମ କରାଯାଉଛି, ତଥ୍ୟହୀନ ଏବଂ ଘୃଣା ପ୍ରସାର କରାଯାଉଛି, ଯେଉଁଥିପାଇଁ ମତେ ଟ୍ରୋଲ କରାଯାଉଛି। ମୁଁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ମୋର ନାମ ଏବଂ ସଚ୍ଚୋଟତା ସୃଷ୍ଟି କରିଥିଲି।
ଏପରିକି ଚହଲ ଓ ଧନଶ୍ରୀଙ୍କ ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ତେବେ ଉଲ୍ଲେଖଯୋଗ୍ୟ, ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର କୁ ନେଇ ଏପର୍ୟ୍ୟନ୍ତ କିଛି କୁହାଯାଇନାହିଁ। ଏହି ଖବର ଏବେ ନୁହେଁ ବରଂ ୨୦୨୨ରୁ ଆରମ୍ଭ ହେଲାଣି। ଧନଶ୍ରୀ ନିଜ ନାମରୁ ଚହଲ ଉପନାମ ହଟାଇବା ପରେ ଛାଡ଼ପତ୍ର ଚର୍ଚ୍ଚା ଆରମ୍ଭ ହୋଇଥିଲା।