Latest Odisha News

BREAKING NEWS

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ, ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଦେଇଛି ଗୁରୁ ଦାୟିତ୍ୱ । ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କ କାନ୍ଧରେ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ନିଯୁକ୍ତି ଦେଇଛି ବିଜେପି ।

ତାଙ୍କ ସହ ୭ ଜଣ ସହ-ପ୍ରଭାରୀଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ସେମାନେ ହେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଅର୍ଜୁନ ରାମ ମେଘୱାଲ, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁର ।

ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଏମାନେ ରୋଡମ୍ୟାପ୍ ପ୍ରସ୍ତୁତ କରିବେ । ଜାତୀୟ ରାଜନୀତିରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବେଶ ଗୁରୁତ୍ୱ ରଖୁଛି । ଏବେ ସେଠାରେ ବିଜେପି ସରକାର ଥିବା ବେଳେ 2022ରେ ପୁଣି ଥରେ କ୍ଷମତା ଦଖଲ ଅଭିଯାନରେ ଧର୍ମେନ୍ଦ୍ରଙ୍କୁ ସାରଥି କରିଛି ବିଜେପି ।

ସେହିପରି ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ପଞ୍ଜାବ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଉତ୍ତରାଖଣ୍ଡ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଣିପୁର ଦାୟିତ୍ୱରେ ରହିବେ ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଗୋଆ ପ୍ରଭାରୀ ଦାୟିତ୍ୱ ଦେଇଛି ବିଜେପି । ପଞ୍ଜାବ ବ୍ୟତୀତ ଅନ୍ୟ 4ଟି ରାଜ୍ୟରେ ବିଜେପିର ସରକାର ଅଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଜେପି ପାଇଁ ସେମିଫାଇନାଲ୍ ଲଢ଼େଇ ବୋଲି କୁହାଯାଉଛି ।

Leave A Reply

Your email address will not be published.