ବ୍ରଜରାଜନଗର: ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି। ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ବିଦାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ବ୍ରଜରାଜନଗର ଯାଇ ପ୍ରଚାର କରିବେ ବୋଲି ସୂଚନା ରହିଛି । ଅନ୍ୟପଟେ ନବ ନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ଏବେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରଚାର କରୁଥିବା ସୂଚନା ରହିଛି । ତେଣୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ରଜରାଜନଗର ଆସନ ପାଇଁ ପ୍ରଚାର କରିବେ କି ନାହିଁ ସେ ନେଇ ଚର୍ଚ୍ଚା ବଢିଛି।
ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ। ବେଲପାହାଡ଼ ମ୍ୟୁନିସିପାଲିଟି, ବ୍ରଜରାଜନଗର ମ୍ୟୁନିସିପାଲିଟି, ଲଖନପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ରୋଡ଼ ସୋ ସହିତ ସାଧାରଣ ସଭାରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ରହିଛି। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁ଼ଡୁ ମଧ୍ୟ ପ୍ରଚାର କରିଛନ୍ତି । ସାଂସଦ ସୁରେଶ ପୂଜାରୀଙ୍କ ସହ ମିଶି ବିଶ୍ୱେଶ୍ୱର ପ୍ରଚାର କରିଛନ୍ତି। ବିଜେପି 40 ଜଣିଆ ପ୍ରଚାର ତାଲିକା ଘୋଷଣା କରିଛି । ଏହି ତାଲିକାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାମ ରହିଛି।
ସେହିପରି କଂଗ୍ରେସ ତରଫରୁ ଦଳର ବିଧାୟକ ଏବଂ ଛାମୁଆ ନେତା ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ପ୍ରଚାର କରୁଥିବା ସୂଚନା ରହିଛି।
ତେବେ କୋଭିଡ ବେଳେ ବାଲେଶ୍ୱର, ତିର୍ତ୍ତୋଲ ଏବଂ ପିପିଲିରେ ଉପନିର୍ବାଚନ ହୋଇଛି। ହେଲେ ଏହି ଆସନ ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇନଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ବିନା ନବୀନରେ ଦଳ ଏଯାବତ ବିଜୟର ବାନା ଉଡାଇ ଚାଲିଛି। ତେଣୁ ଏବେ ବ୍ରଜରାଜନଗର ଆସନର ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ନବୀନ ପ୍ରଚାର କରିବେ କି ନାହିଁ ସସପେନ୍ସ ବଢିଛି।
ଉଲ୍ଲେଖଯୋଗ୍ୟ, ନିକଟରେ ହୋଇଥିବା ସମସ୍ତ ବିଧାନସଭା ଉପନିର୍ବାଚନରେ ବିଜେଡି ଜିତିଛି। ରେମୁଣା ବିଧାୟକ ଭାବେ ମଦନମୋହନ ଦତ୍ତଙ୍କର ଦେହାନ୍ତ ହୋଇଥିଲା। ହେଲେ ଏଠାରେ ହୋଇଥିବା ଉପନିର୍ବାଚନରେ ବିଜେଡି ବାଜିମାତ କରିଥିଲା।
Comments are closed.