Latest Odisha News

BREAKING NEWS

ବରଗଡରେ ଫସଲ ବୀମା ବଣ୍ଟନରେ ଅନିୟମିତତା ନେଇ ତୋମାରଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବରଗଡ଼ ଜିଲ୍ଲାରେ ଚାଷୀ ଓ ଫସଲ ବୀମାକୁ ନେଇ ଜୋର ଧରିଛି ରାଜନୀତି । ଫସଲ ବୀମା ବଣ୍ଟନରେ ଅନିୟମିତତା ନେଇ ହୋଇଛି ଅଭିଯୋଗ । ତେଣୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ୨୦୨୧ ରେ ଖରିଫ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିଓ୍ୱାଇ)ର ବାଟମାରଣା ହୋଇଛି ବୋଲି ଧର୍ମେନ୍ଦ୍ର ତାଙ୍କ ଚିଠିରେ ଲେଖିଛନ୍ତି ।

ବୀମା ବାଟମାରଣା ହେବା ପାଇଁ ସେ ବୀମା କମ୍ପାନୀ ମେସର୍ସ ଏଚଡିଏଫସି ଏଗ୍ରୋ  ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍ ଓ ରାଜ୍ୟ ସରକାରୀ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାକୁ ଦାୟୀ କରିଛନ୍ତି । ତେଣୁ ବରଗଡ ଜିଲ୍ଲାରେ ଫସଲ ବୀମାରୁ ଲୋକେ ବଞ୍ଚିତ ରହିଛନ୍ତି । ପୂର୍ବରୁ ଜିଲ୍ଲାର ଅନେକ ଚାଷୀ ସଂଗଠନ ତାଙ୍କୁ ଚିଠି ମାଧ୍ୟମରେ ଏନେଇ ସୂଚିତ କରିଥିବା କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି । ଜିଲ୍ଲାର ପାଇକମାଳ, ଝାରବନ୍ଧ, ପଦମପୁର, ଗାଇସିଲଟ, ସୋହେଲା ଓ ବିଜେପୁର ବ୍ଲକରେ ବ୍ୟାପକ ଫସଲ ବୀମା ଅନିୟମିତତା ହେଇଛି ।

ଏପରିକି ଚାଷୀଙ୍କୁ କ୍ଷତି ଅନୁସାରେ ବୀମା ରାଶି ପ୍ରଦାନ କରାନଯାଇ ସେଥିରେ କାଟ୍ ଛାଟ୍ କରାଯାଇଛି ବୋଲି ତୋମାରଙ୍କୁ ଅବଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବୀମା ରାଶି କଟନି ଛଟନିରେ ଦାୟିତ୍ୱନ୍ୟସ୍ତ  ସରକାରୀ ଅଧିକାରୀ ସିଧାସଳଖ ସାମିଲ ଥିବା ସେ ଅଭିଯୋଗ ଆଣିଛନ୍ତି । ସେମାନେ କ୍ରପ୍ କଟିଂ ଏକ୍ସପିରିମେଣ୍ଟ ସଠିକ୍ ଭାବେ କରିନାହାଁନ୍ତି । ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, କୃଷି ଓ ଚାଷୀ ସଶକ୍ତିକରଣ ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ଅଧିକାରୀମାନଙ୍କୁ ସିସିଇ ଦାୟିତ୍ୱ ଦିଆଯାଇଥିଲା ।

ଏଡିଏମ୍ ରାଙ୍କ୍ ଅଫିସରଙ୍କୁ ତଦାରଖ ଦାୟିତ୍ୱରେ ଥିଲେ । ହେଲେ ସଠିକ୍ ଟେକ୍ନୋଲଜି ବ୍ୟବହାର ନକରି ଅନସାଇଣ୍ଟିଫିକାଲି ସିସିଇ କରାଯାଇଛି । ଫଳରେ ବୀମା କମ୍ପାନୀଙ୍କୁ ଫାଇଦା ଓ ଚାଷୀ ହତାଶ ହୋଇଛନ୍ତି । କେତେକ ଗ୍ରାମପଞ୍ଚାୟତରେ ଚାଷୀଙ୍କୁ ୭୬.୫୬ ପ୍ରତିଶତ ବୀମା ରାଶି ମିଳିବା ସ୍ଥାନରେ ମିଳିଛି ମାତ୍ର ୫ ପ୍ରତିଶତ । କ୍ରପ୍ କଟିଂ ଏକ୍ସପେରିମେଣ୍ଟର ତଥ୍ୟକୁ ବଦଳାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ ।

ତେଣୁ ଚାଷୀଙ୍କୁ ଯେଉଁ ବୀମା ରାଶି ମିଳିବା କଥା ତାହା ମିଳିନାହିଁ  ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ବରଗଡ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବୀମା କମ୍ପାନୀ ମିଳିମିଶି ପିଏମଏଫବିଓ୍ୱାଇ କାର୍ଯ୍ୟକାରିତାକୁ ବାଟବଣା କରୁଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

Comments are closed.