Latest Odisha News

BREAKING NEWS

ଧଉଳି ଏକ୍ସପ୍ରେସ ବଗି ଲାଇନଚ୍ୟୁତ ଘଟଣା: ଓଡ଼ିଶା ଆସୁଥିବା ଯାତ୍ରୀଙ୍କ ଲାଗି ଅନ୍ୟ ଟ୍ରେନର ବ୍ୟବସ୍ଥା

ଭୁବନେଶ୍ୱର: ହାଓଡ଼ା-ପୁରୀ ଧଉଳି ଏକ୍ସପ୍ରେସ ମଙ୍ଗଳବାର ସକାଳେ ଖଡ଼କପୁର ଡ଼ିଭିଜନର ଭୋଗପୁର-ପାଂଶକୁରା ନିକଟରେ ଏକ ବଗି ଲାଇନଚ୍ୟୁତ ହୋଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା କଥା ପ୍ରକାଶ କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ । ଘଟଣାସ୍ଥଳରୁ ଅପରାହ୍ନ ୧୨.୪୦ରେ ୧୫ଟି ବଗି ସହିତ ୧୨୮୨୧ ଧଉଳି ଏକ୍ସପ୍ରେସ ଗନ୍ତବ୍ୟସ୍ଥଳ ଅଭିମୁଖେ ପୁନର୍ବାର ଯାତ୍ରା ଆରମ୍ଭ କରିଛି । ଲାଇନଚ୍ୟୁତ ଯୋଗୁଁ ୫ଟି ବଗି ଘଟଣାସ୍ଥଳରେ ରହିଛି ।

ଧଉଳି ଏକ୍ସପ୍ରେସରେ ଭୁବନେଶ୍ୱର ଏବଂ ପୁରୀ ଅଭିମୁଖେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀମାନଙ୍କ ଲାଗି ଫାଲକନାମା ଏକ୍ସପ୍ରେସ ଏବଂ ନୀଳାଚଳ ଏକ୍ସପ୍ରେସରେ ଯିବାର ବ୍ୟବସ୍ଥା କରାଯାଇଛି । ବଗି ଲାଇନଚ୍ୟୁତ ହୋଇଥିବା ଯୋଗୁଁ ଟ୍ରେନଟି ପଡ଼ିରହିଥିଲା । ତେବେ ଯାତ୍ରୀମାନଙ୍କର ସୁବିଧା ଲାଗି ଚା’ ଜଳଖିଆର ବ୍ୟବସ୍ଥା ରେଳବାଇ କର୍ତ୍ତୃପକ୍ଷ କରିଥିଲେ ।

ଇଷ୍ଟକୋଷ୍ଟ ରେଲୱେର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ କହିଛନ୍ତି, ମଙ୍ଗଳବାର ଦିନ ଧଉଳୀ ଏକ୍ସପ୍ରେସ ପୁରୀ ଅଭିମୁଖେ ଆସୁଥିବା ବେଳେ ସକାଳ ୭.୦୮ରେ ଖଡ଼କପୁର ନିକଟବର୍ତ୍ତୀ ଭୋଗପୁର-ପାଂଶକୁରା ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା ।

ବଗି ଲାଇନଚ୍ୟୁତ ହୋଇଥିଲେ ମଧ୍ୟ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ରିଲିଫ ଟ୍ରେନର ବ୍ୟବସ୍ଥା କରିବାର ସୂଚନା ଦେଇଥିଲେ ଇଷ୍ଟକୋଷ୍ଟ ରେଲୱେର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ।

ଇଷ୍ଟକୋଷ୍ଟ ରେଲୱେ ସୂତ୍ରରୁ ପ୍ରକାଶ, ବଗି ଲାଇନଚ୍ୟୁତ ହେବା ଫଳରେ ଟ୍ରେନର ଆଗ ଓ ପଛ ପାଖରେ କ୍ଷତି ପହଞ୍ଚିଥିଲା । ଦକ୍ଷିଣପୂର୍ବ ରେଲୱେର ଜେନେରାଲ ମ୍ୟାନେଜର ପି ଏସ ମିଶ୍ର ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିଛନ୍ତି ।

ଆହୁରି ମଧ୍ୟ ରେଳ କର୍ତ୍ତୃପକ୍ଷଙ୍କ ତରଫରୁ ଯାତ୍ରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି ।

• ଖଡ଼ଗପୁର ସେକ୍ସନ ପକ୍ଷରୁ ଜାରି ହୋଇଥିବା ହେଲ୍ପ ଲାଇନ ନଂ- (୦୩୨୨୨୫୫୮୯୭ ଓ ୦୩୨୨୨୨୫୫୭୫୧)
• ବାଲେଶ୍ୱର (୦୬୭୮୨୨୬୫୭୬୭) ଏବଂ ହାୱଡ଼ା (୦୩୩୨୬୩୭୭୧୯୭) ।

Leave A Reply

Your email address will not be published.