Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କ ପାଇଁ ଫୋକସରେ ଢେଙ୍କାନାଳ !

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଏହାପରେ ନିଜେ ମନ୍ତ୍ରୀ ଓ ତାଙ୍କ ପତ୍ନୀ ମୃଦୁଳା ଠାକୁରଙ୍କ ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲା ଗସ୍ତ କରୁଥିବା ନେଇ ଦେଖିବାକୁ ମିଳୁଥିଲା। ଏହାରି ଭିତରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଅନୁଗୁଳ ଗସ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଗସ୍ତରେ ଆସି ଆଠମଲ୍ଲିକ ବ୍ଲକରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ଫେରିବା ପରେ ଅନୁଗୁଳ ସର୍କିଟ ହାଉସରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଭେଟିଥିଲେ। ମନ୍ତ୍ରୀଙ୍କୁ ଭେଟିଥିବା କାଯ୍ୟକର୍ତାମାନେ ଧର୍ମେନ୍ଦ୍ରଙ୍କ ଅନୁଗତ ବୋଲି କୁହାଯାଉଛି।

ଓଡ଼ିଶାରେ ପହଂଚିବା ପରେ ପିଏମ ଆବାସ ଘରର ଯାଞ୍ଚ ହେବ ବୋଲି କହି ରାଜନୀତିକୁ ସରଗରମ କରିଛନ୍ତି ଗିରିରାଜ ସିଂ। ପଞ୍ଚାୟତିରାଜ ବିଭାଗରେ ରାଜ୍ୟ ସରକାର ଦୁର୍ନୀତି କରୁଛନ୍ତି ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା ସମ୍ପର୍କରେ କହିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର।

ସେପଟେ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଅନୁଗୁଳ ଆସୁଥିବାରୁ ଗିରିରାଜ ସିଂଙ୍କ ଗସ୍ତ ଧର୍ମେନ୍ଦ୍ରଙ୍କ ଲଢ଼ିବା ଚର୍ଚ୍ଚାକୁ ବଢ଼ାଇଦେଇଛି। ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନ୍ତ୍ରୀ ଆସିଥିଲେ ମଧ୍ୟ ରାଜନୈତିକ ସ୍ତରରେ ଏଭଳି ଆଲୋଚନା ହେଉଛି।

ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ମାନେ ପ୍ରଚାର ଆରମ୍ଭ କରିଛନ୍ତି। ଯେଉଁସବୁ ସ୍ଥାନରେ ଅନ୍ତିମ ସାଧାରଣ ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନରେ ଥିଲା ସେହି ସ୍ଥାନମାନଙ୍କୁ ବିଜେପି ଏବେ ଅଧିକ ଫୋକସ କରୁଛି । ଏହି ଯୋଜନାରେ ଏବେ କେନ୍ଦ୍ର ବିଜେପି ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଦୁଇ ଆସନ ଉପରେ ନିର୍ବାଚନ ଲଢିବା ନେଇ ଯୋଜନା କରୁଛନ୍ତି ତାଉପରେ ଫୋକସ କରୁଥିବା କୁହାଯାଉଛି।

ସେପଟେ ଓଡ଼ିଶାରେ ବିଜେଡି ଓ ବିଜେପି ସମ୍ପର୍କ ମଧ୍ୟରେ ଦୂରତା ବଢୁଥିବାରୁ ଏଥର ନିର୍ଣ୍ଣାୟକ ଲଢେଇ ଲଢ଼ିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଧର୍ମେନ୍ଦ୍ରଙ୍କ ଉପରେ କେନ୍ଦ୍ର ଓ ରାଜ୍ୟର ନଜର ରହିଛି। ଏହା ଉଭୟ ବିଜେପି ଓ ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ। ସେପଟେ ଧର୍ମେନ୍ଦ୍ରଙ୍କୁ ଘେରିବା ପାଇଁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ୱ ଦେଇଥିବା କୁହାଯାଉଛି। ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂଙ୍କ ଅନୁଗୁଳ ଗସ୍ତ ଓ ପ୍ରଧାନମନ୍ତ୍ରୀ ଆବାସ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

ଅନ୍ୟପଟେ ଏବିଭିପିରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ସେ ଏକ ଟ୍ରଷ୍ଟ ନାଁରେ ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ନିଜର ଲୋକ ସମ୍ପର୍କ ବଢାଇବା ସହ ସ୍ୱାମୀଙ୍କ ଭୋଟ୍ ବ୍ୟାଙ୍କ ବଢ଼ାଉଛନ୍ତି।

Leave A Reply

Your email address will not be published.