ଢେଙ୍କାନାଳ: କାମାକ୍ଷାନଗରର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ । ଏହି ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜଗା ସହ ଅନ୍ୟ ତିନି ଜଣ ମଧ୍ୟ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ହେଉଛନ୍ତି କାମାକ୍ଷାନଗରର ଥାନା ଅନ୍ତର୍ଗତ ସାନଇନ୍ଦିପୁର ଗ୍ରାମର ଚନ୍ଦନ କୁମାର ନାୟକ, ସାନ୍ତରାପୁର ଗ୍ରାମର ମଦନ ମୋହନ ପାତ୍ର ଏବଂ ପରଜଙ୍ଗ ଥାନା କୁସୁମି ଗ୍ରାମର ରସାନନ୍ଦ ନାୟକ ।
ପୋଲିସ ଏକ କାର, ତିନୋଟି ମୋବାଇଲ୍ ଫୋନ୍, ରକ୍ତ ଲାଗିଥିବା ପୋଷାକ ଏବଂ ନାବାଳିକାଙ୍କ କଲେଜ ବ୍ୟାଗ୍ ମଧ୍ୟ ଜବତ କରିଛି ।
ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ପାତ୍ର ଓରଫ ଜଗା ନାବାଳିକାଙ୍କ ସହ ପୂର୍ବରୁ ପରିଚିତ ଥିଲେ । ମୁଖ୍ୟ ଅଭିଯୁକ୍ତ ଜଗାକୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ ।କାମାକ୍ଷାନଗର ଏସଡିପିଓଙ୍କ ଅଫିସ ଠାରେ ଢେଙ୍କାନାଳ ଏସ୍ପି ଅଭିନବ ସୋନକର ପ୍ରେସମିଟ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଘଟଣାକୁ ପ୍ରକାଶ କରିଛନ୍ତି । ମୃତ ଛାତ୍ରୀ ଜଣଙ୍କ କାମାକ୍ଷାନଗର ଥାନା ଅନ୍ତର୍ଗତ ଏକ ଗାଁର । ସେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ ।
ଖବରମୁତାବକ, ୧୮ ତାରିଖ (ବୁଧବାର) ଦିନ ନାବାଳିକା ଛାତ୍ରୀ ଜଣଙ୍କ ପରୀକ୍ଷା ଦେବାକୁ କଲେଜ ଯାଇଥିଲେ କିନ୍ତୁ ଘରକୁ ଫେରି ନଥିଲେ । ୧୯ ତାରିଖ ଦିନ କାମାକ୍ଷାନଗର ସୀମା ଅନ୍ତର୍ଗତ ସାରୁଆଲି ଗାଁ ନିକଟ ଜଙ୍ଗଲରେ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା । ଏନେଇ ପୋଲିସର ତଦନ୍ତ କରିଥିଲା । ତେବେ ତଦନ୍ତରୁ ଜଣାପଡ଼ିଥିଲା ଯେ, କାମାକ୍ଷାନଗର ଜଗନ୍ନାଥ ବଜାରରୁ ଅଭିଯୁକ୍ତ ଜଗା, ନାବାଳିକା ଛାତ୍ରୀଙ୍କୁ କାରରେ ବସାଇ ଭାୟା ଜିରିଡାମାଳି ଦେଇ କେନାଲ ରାସ୍ତାରେ ନେଇ ପଲ୍ଲୀ ଗ୍ରାମ ଆଡକୁ ଯାଇଥିଲା । ପଲ୍ଲୀ ଗ୍ରାମ ରାସ୍ତା କଡ଼ରେ ଥିବା ନିଛାଟିଆ ଜାଗାରେ ଗାଡି ରଖି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ।ଛାତ୍ରୀ ଜଣଙ୍କର ଅତ୍ୟଧିକ ରକ୍ତସ୍ରାବ ହେବା ସହ ପରବର୍ତ୍ତୀ ସମୟରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଅଭିଯୁକ୍ତ ଜଗାକୁ ତାଙ୍କ ମାମୁ ପୁଅ ଭାଇ ସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ପରଜଙ୍ଗ ଥାନା କୁମୁସି ଗାଁର ମଉସା ରସାନନ୍ଦ ନାଏକ ଏବଂ ସାଆନ୍ତରାପୁର ଗାଁର ଅନ୍ୟ ଜଣେ ସହଯୋଗୀ ମଦନ ମୋହନ ପାତ୍ର ସହଯୋଗ କରିଥିଲେ ।