ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭ ହେବାକୁ ବେଶ କିଛି ଦିନ ବାକି ରହିଛି । ଏବେଠାରୁ ଆଇପିଏଲ ନେଇ ଅନେକ ଖବର ସମ୍ମୁଖକୁ ଆସୁଛି । ମହେନ୍ଦ୍ର ସିଂ ଧୋନୀ ଆଗାମୀ ଆଇପିଏଲ ଖେଳିବେ କି ନାହିଁ ତାହା ବେଶ ଆଲୋଚନାର ବିଷୟ ହୋଇଛି । ଏବେ ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ଏ ନେଇ ବଡ ସଙ୍କେତ ଦେଇଛନ୍ତି । କ୍ରିକବଜ ରିପୋର୍ଟ ଅନୁସାରେ ଚେନ୍ନାଇ ସିଇଓ କହିଛନ୍ତି, ଧୋନୀ ବ୍ୟକ୍ତିଗତ ଭାବେ ଉପଲବ୍ଧ ରହିବେ ବୋଲି ଜଣାଇଛନ୍ତି । କାଶୀ ବିଶ୍ୱନାଥ ଓ ଧୋନୀଙ୍କ କମ୍ବିନେଶନ ଚେନ୍ନାଇକୁ ଏକ ଚାମ୍ପିୟନ ଟିମ ଭାବେ ଗଢ଼ି ତୋଳିଛି । ଏବେ ୨/୩ଟି ସିଜନ ହେବ ଧୋନୀଙ୍କ ଖେଳିବା ଉପରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି । ରିପୋର୍ଟ ମୁତାବକ ଧୋନୀଙ୍କ ଏହା ଶେଷ ଆଇପିଏଲ ହେବ ।
ସେ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାଙ୍କ ଆଇପିଏଲ କ୍ୟାରିୟର ଶେଷ କରିବାକୁ ଚାହୁଁଛନ୍ତି । ଗତ ସଂସ୍କରଣରେ ଚେନ୍ନାଇ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଧୋନୀ ୨୪୮ ମ୍ୟାଚରେ ୪୮୬୫ ରନ କରିଛନ୍ତି । ତାଙ୍କ ନେତୃତ୍ୱରେ ଦଳ ୫ ଥର ଚାମ୍ପିୟନ ହୋଇଛି । ଚେନ୍ନାଇ ଇତି ମଧ୍ୟରେ ସଞ୍ଜୁ ସାମସନଙ୍କୁ ଦଳରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଧୋନୀ, ସିଇଓ କାଶୀ ବିଶ୍ୱନାଥ, ଅଧିନାୟକ ରିତୁରାଜ ଗାଏକ୍ୱାଡ ଓ କୋଚ ଷ୍ଟିଫେନ ପ୍ଲେମିଂଙ୍କ ମଧ୍ୟରେ ୧୦ କିମ୍ବା ୧୧ ନଭେମ୍ବରରେ ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ଏହା ପରେ ଫ୍ରାଂଚାଇଜ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯିବ ।
Comments are closed.