Latest Odisha News

BREAKING NEWS

ହକିକୁ ଭଗବାନଙ୍କ ଦାନ: ଧ୍ୟାନଚାନ୍ଦ

ଅଲିମ୍ପିକ୍ କ୍ରୀଡ଼ାରେ ୧୨୫ କୋଟି ଭାରତୀୟଙ୍କୁ ପ୍ରତିନିଧିତ୍ୱ କରି ୧୧୮ ଜଣ କ୍ରୀଡ଼ାବିତ ମାତ୍ର ୨ଟି ପଦକ ଜିତିବାରେ (୧ ରୌପ୍ୟ ଓ ୧ କାଂସ୍ୟ) ସକ୍ଷମ ହୋଇ ପଦକ ତାଲିକାରେ ୨୩ତମ ସ୍ଥାନ (ଗତ ଅଲିମ୍ପିକରେ ୧୫ତମ ସ୍ଥାନ) ହାସଲ କରିବା ଦେଶର ଅଗଣିତ କ୍ରୀଡ଼ାପ୍ରେମୀଙ୍କ ମନରେ ନୈରାଶ୍ୟ ଭରିଦେଇଥିବା ବେଳେ ସାମଗ୍ରିକ ଭାବେ ଆମର ଦୁର୍ବଳ କ୍ରୀଡ଼ାବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଲିମ୍ପିକ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା, ପ୍ରଶିକ୍ଷଣ ସୁବିଧା ଏବଂ ଅନ୍ୟ ଆନୁଷଙ୍ଗିକ ସୁଯୋଗ ଉପଲବଧି ସତ୍ୱେ ଆମ କ୍ରୀଡ଼ାବିତଙ୍କ ସର୍ବୋଚ୍ଚ ସ୍ତରରେ ବିଫଳତାର ଧାରା ଜାରି ରହିଛି ।

ଏକଦା ବିଶ୍ୱହକିର ଅପ୍ରତିଦ୍ୱନ୍ଦ୍ୱୀ ସମ୍ରାଟ୍ ଭାବେ (୧୯୨୮ରୁ ୧୯୮୦ ପର୍ଯ୍ୟନ୍ତ ୮ଟି ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା)ପରିଚିତ ଭାରତୀୟ ପୁରୁଷ ହକିଦଳ ୮୦ ଦଶକ ଏବଂ ପରେ ଲଗାତର ବିଫଳତାର ସ୍ୱାଦ ଚାଖିଲା ପରେ ଚଳିତ ଅଲିମ୍ପିକ୍ସରେ ପଦକ ଦୌଡ଼ରୁ ବାଦ ପଡ଼ିଥିଲେ ମଧ୍ୟ ଉନ୍ନତ ଖେଳ ପ୍ରଦର୍ଶନ ଦ୍ୱାରା ଅନ୍ତର୍ଜାତୀୟ ମାନ୍ୟତାରେ ଉନ୍ନତି ଆଣିପାରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନର ଉପଲବ୍ଧ ସୁବିଧା ସୁଯୋଗ ଏବଂ ଆର୍ଥିକ ସ୍ୱଚ୍ଛଳତା ନଥାଇ ସୁଦ୍ଧା ଅତ୍ୟନ୍ତ ସିମିତ ସମ୍ବନ୍ଧ ମଧ୍ୟରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ପ୍ରଥମ ପଦାର୍ପଣ (୧୯୨୮ ଆମଷ୍ଟରଡ଼ାମ) ଠାରୁ ବିଶ୍ୱର ଶ୍ରେଷ୍ଠ ଦଳ ଭାବେ ପ୍ରାୟ ୬ ଦଶକ ଧରି ଅଦ୍ୱିତୀୟ ହକି ଶକ୍ତି ଭାବେ ପ୍ରତିଷ୍ଠା ଲାଭ କରିଥିଲା । ଏହି ଅବିସ୍ମରଣୀୟ ସଫଳତାର କର୍ଣ୍ଣଧାର ଥିଲେ ହକିର ଯାଦୁକର ଭାବେ ପରିଚିତ ଧ୍ୟାନଚାନ୍ଦ । \n\nସ୍ୱର୍ଗତଃ ଧ୍ୟାନଚାନ୍ଦ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ ଯାହାକି ସେ କଠିନ ପରିଶ୍ରମ, ଏକାଗ୍ରତା, ଦେଶପ୍ରେମ ଏବଂ ଭଗବତ୍ ବିଶ୍ୱାସ ଦ୍ୱାରା ହାସଲ କରିପାରିଥିଲେ ।

୭୦ ଦଶକର ଆଦ୍ୟ ଭାଗରେ ଏହି କିମ୍ବଦନ୍ତୀ ଖେଳାଳିଙ୍କୁ ଭେଟିବାର ସୁଯୋଗ ମିଳିଥିଲା ଏହି ଲେଖକକୁ । କଟକରେ ସତ୍ୟବ୍ରତ ଷ୍ଟାଡ଼ିୟମରେ ଆୟୋଜିତ ହେଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ହକି ତାଲିମ ଶିବିରରେ ଅନ୍ୟତମ ଶିବିରାର୍ଥୀ ଭାମେ ମୁଁ ଯୋଗ ଦେଇଥାଏ । ଦିନକର ଅଭ୍ୟାସ ସମୟର କଥା । ଆମ୍ଭେମାନେ ଅଭ୍ୟାସ ଜାରି ରଖିଥିବା ବେଳେ ହଠାତ୍ ନଜର ପଡ଼ିଲା ଷ୍ଟାଡ଼ିୟମର ଛୋଟ ଆର ସି ଗ୍ୟାଲେରୀର ତଳ ପାହାଚରେ ମାରୁନ୍ ରଙ୍ଗର ବ୍ଲେଜର୍ ପିନ୍ଧି ବସିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ଉପରେ । ପରିଣତ ବୟସ, କଳା ମସୃଣ ରଙ୍ଗ, ନିଗୁଣ ଭାବେ ବ୍ୟାକ୍ ବ୍ରସ କରି କୁଣ୍ଡା ହୋଇଥିବା ସ୍ୱଳ୍ପ ବା ବିଶେଷ ଭାବେ ଉଚ୍ଚତା ନ’ଥିବା ଏକ ଚିହ୍ନା ଚିହ୍ନା ଉଜ୍ଜଳ ମୁହଁ । ଆଶ୍ଚର୍ଯ୍ୟ ହକିର ଭଗବାନ ବିଶ୍ୱବିଖ୍ୟାତ ହକି ଖେଳାଳି ଧ୍ୟାନଚାନ୍ଦ । ଧ୍ୟାନଚାନ୍ଦ ଚୁପଚାପ ବସିରହି ଆମ୍ଭମାନଙ୍କ ଅଭ୍ୟାସକୁ ଅନୁଧ୍ୟାନ କରୁଥାଆନ୍ତି । ମନେପଡ଼ିଲା, ଓଡ଼ିଶା ଅଲିମ୍ପିକ ସଂଘର ନିମନ୍ତ୍ରଣକ୍ରମେ ଧ୍ୟାନଚାନ୍ଦ ଆସିଥାନ୍ତି ଓଡ଼ିଶାର ପ୍ରତିଭାବାନ ଖେଳାଳି ମାନଙ୍କୁ କିଛି ଦିଗଦର୍ଶନ ଦେବା ପାଇଁ । ଅଭ୍ୟାସ ସରିଲା ପରେ ଆମ୍ଭେମାନେ ତାଙ୍କ ପାଖକୁ ଯାଇ ପାଦଛୁଇଁ ମୁଣ୍ଡିଆ ମାରିଲୁ । ସ୍ମିତହାସ୍ୟ ଚେହେରାରେ କିଛି ନ’କହି ଆଶୀର୍ବାଦ ଦେଲେ । ସାହସ ସଞ୍ଚୟ କରି ପଚାରିଲୁ, ସାର୍, ଆପଣ ଖେଳିଲାବେଳେ କ’ଣ ପ୍ରକୃତରେ କିଛି ଯାଦୁ ପ୍ରୟୋଗ କରୁଥିଲେ? ସତରେ କ’ଣ ଅଠା ଲାଗିଲା ପରି ବଲଟି ଆପଣଙ୍କ ଷ୍ଟିକରେ ଲାଗି ରହୁଥିଲା? ଆପଣଙ୍କ ପାଖରେ କ’ଣ ଭଗବାନ ଦତ୍ତ କିଛି ପ୍ରତିଭା ରହିଛି?

ଅଳ୍ପ ହସି ସେ ହିନ୍ଦୀରେ କହିଥିଲେ, “ଆରେ ଓ ସବ୍ ପ୍ରେସ୍ ବାଲୋଁକା ବାତ୍ ହୈ । ଖେଳରେ ଈଶ୍ୱର ଦତ୍ତ ପ୍ରତିଭା କିଛି ନଥାଏ । ଈଶ୍ୱରଙ୍କ ଆଶୀର୍ବାଦ ଆବଶ୍ୟକ । ଜଣେ ନିଜର ସାଧାନା, ପରିଶ୍ରମ ଏବଂ ଏକାଗ୍ରତା ଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥାଏ । ମୁଁ ନିଷ୍ଠାପରଭାବେ ପ୍ରତିଦିନ ୮/୧୦ ଘଣ୍ଟା ପରିଶ୍ରମ କରି ହକିରେ ଦକ୍ଷତା ହାସଲ କରିଥିଲି । ତୁମ୍ଭେମାନେ ଯିଏ କଠିନ ପରିଶ୍ରମ କରି ନିଷ୍ଠାପର ଭାବେ ଅଭ୍ୟାସ କରିବ ସେ ଜଣେ ବିଶ୍ୱର ଶ୍ରେଷ୍ଠ ଖେଳାଳି ହୋଇପାରିବ । ” ଆମ୍ଭେମାନେ ଶୁଣିଥିଲୁ ବା ପଢିଥିଲୁ ଯେ, ଧ୍ୟାନଚାନ୍ଦଙ୍କ ପିତୃଦତ୍ତନାମ ଥିଲା ଧ୍ୟାନସିଂ । ଯେହେତୁ ଅନେକ ସମୟରେ ହକିରେ ବିଶେଷ ଦକ୍ଷତା ହାସଲ କରିବା ପାଇଁ ରାତିରେ ଜହ୍ନ ଆଲୁଅରେ (ସେ ସମୟରେ ଫ୍ଲଡ଼ ଲାଇଟ୍ ବ୍ୟବସ୍ଥା ନଥିଲା) ଅଭ୍ୟାସ କରୁଥିଲେ । ପ୍ରଖ୍ୟାତ କ୍ରୀଡ଼ା ପ୍ରଶାସକ ପଙ୍କଜ ଗୁପ୍ତା ତାଙ୍କୁ ଧ୍ୟାନଚାନ୍ଦ ନାମରେ ସମ୍ବୋଧନ କରୁଥିଲେ ଏବଂ ଏହି ନାମରେ ସେ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କର ପ୍ରତିକ୍ରିୟା ଶୁଣି ଆମେ ଚିନ୍ତା କରିଥିଲୁ ଏଇ ସାଧାରଣ ମଣିଷଟି କ’ଣ ସେଇ ବିଖ୍ୟାତ ହକି ଖେଳାଳି ଯାହାଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଜର୍ମାନୀ ଦଳକୁ ଫାଇନାଲରେ (୮-୧) ଗୋଲରେ ପରାସ୍ତ କରି ଦୁର୍ଦ୍ଦଶ ନାଜି ନେତା ଓ ଜର୍ମାନୀର ସର୍ବମୟ କର୍ତ୍ତା ଶାସକ ଆଡ଼ଲଫ୍ ହିଟଲରଙ୍କ ‘ଆରିୟନ ସୁପ୍ରିମାସି’ର ଦମ୍ଭୋକ୍ତିକୁ ଭୂଲ୍ ପ୍ରମାଣିତ କରିଥିଲେ?

ବିଡ଼ମ୍ବନାର ବିଷୟ ଯେ, କେନ୍ଦ୍ର ସରକାର ଏହି କିମ୍ବଦନ୍ତୀ ଖେଳାଳିଙ୍କ ସ୍ମୃତିରେ ଜୀବନବ୍ୟାପୀ କ୍ରୀଡ଼ାକୁ ଅବଦାନ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ ବ୍ୟବସ୍ଥା କରିଥିବା ବେଳେ ଅଜସ୍ର କ୍ରୀଡ଼ାପ୍ରେମୀ ଜନସାଧାରଣ, ରାଜନେତା, କ୍ରୀଡ଼ାବିତଙ୍କ ଦାବିକୁ ଉପେକ୍ଷା କରି ଧ୍ୟାନଚାନ୍ଦଙ୍କୁ ମରୋଣତ୍ତର “ଭାରତରତ୍ନ” ସମ୍ମାନରେ ସମ୍ମାନିତ କରିବା ପାଇଁ ବିଚାରକୁ ନେଉ ନାହାନ୍ତି । ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଭାରତୀୟ କ୍ରୀଡ଼ାବିତ ଏବଂ ହକି ଖେଳକୁ ଭଗବାନଙ୍କ ଦାନ ଧ୍ୟାନଚାନ୍ଦ ନିଶ୍ଚିତ ଭାବେ ଏହି ସମ୍ମାନ ପାଇଁ ଯୋଗ୍ୟତମ ବ୍ୟକ୍ତି । ତାଙ୍କ ଜନ୍ମ ଦିବସ ‘ଜାତୀୟ କ୍ରୀଡ଼ା ଦିବସ’ରେ ଏହା ସମସ୍ତଙ୍କର କାମ୍ୟ ।

(ଲେଖକ ଅଶୋକ କୁମାର ମହାନ୍ତି ଜଣେ ଅବସରପ୍ରାପ୍ତ କ୍ରୀଡ଼ା ପ୍ରଶାସକ)
Leave A Reply

Your email address will not be published.