Latest Odisha News

ଆଜିଠାରୁ ଡାଇମଣ୍ଡ ଲିଗ ଆଥଲେଟିକ୍ସ: ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ନଜର

ଦୋହ: ଶୁକ୍ରବାରଠାରୁ ଡାଇମଣ୍ଡ ଲିଗ ଆଥଲେଟିକ୍ସ ଆରମ୍ଭ ହେବାକୁ ଯାଉଛି । ଡାଇମଣ୍ଡ ଲିଗର ୧୪ତମ ସିଜନରେ ୫ମାସରେ ୧୪ଟି ସହରରେ ୧୪ଟି ସିରିଜ ଆୟୋଜିତ ହେବ । ବ୍ରୁସେଲ୍ସରେ ସେପ୍ଟମ୍ବର ୮ରେ ଶେଷ ସିରିଜ ଖେଳାଯିବ । ଏହା ପରେ ଆମେରିକାର ୟୁଜିନରେ ୧୬ ଡିସେମ୍ବରରୁ ଫାଇନାଲ୍ସ ଆୟୋଜିତ ହେବ । ଏଥିରେ ସମସ୍ତ ସିରିଜର ମେଡାଲିଷ୍ଟଙ୍କ ମଧ୍ୟରେ ମୁକାବିଲା ହେବ । ବିଶ୍ୱ ଚାମ୍ପିୟନଶିପ ପରେ ଡାଇମଣ୍ଡ ଲିଗ ଆଥଲେଟିକ୍ସର ସବୁଠାରୁ ବଡ ଇଭେଂଟ ଭାବେ ବିବେଚନା କରାଯାଇଥାଏ । ଏଥିରେ ଓଭରାଲ ୧୪ଟି ଇଭେଂଟ ଖେଳାଯିବ । ପୁରୁଷ ବିଭାଗରେ ୧୦୦ ମିଟର, ୨୦୦ମିଟର, ୪୦୦ ମିଟର, ୮୦୦ ମିଟର, ୪୦୦ ମିଟର ହର୍ଡଲ, ୩୦୦୦ମିଟର, ଟ୍ରିପଲ ଜମ୍ପ, ହାଇଜମ୍ପ, ଜ୍ୟାଭେଲିନ ଥ୍ରୋ ଓ ଡିସକସ ଥ୍ରୋ ଇଭେଂଟ ରହିବ ।

ସେହିପରି ମହିଳା ବିଭାଗରେ ୧୦୦ ମିଟର, ୧୦୦ ମିଟର ହର୍ଡଲ୍ସ, ୪୦୦ ମିଟର, ୧୫୦୦ ମିଟର, ୩୦୦୦ ମିଟର ଷ୍ଟିପଲଚେଜ ଓ ପୋଲ ଭଲ୍ଟ ଇଭେଂଟ ରହିବ । ଦୋହାରେ ହେବାକୁ ଥିବା ଏହି ଇଭେଂଟରେ ବିଶ୍ୱ ଚାମ୍ପିୟନ ଜ୍ୟାଭେଲିନ ଥ୍ରୋୟର ଆଣ୍ଡରସନ ପିଟର୍ସ, ୨୦୦ ମିଟରର ଅଲିମ୍ପିକ ଚାମ୍ପିୟନ ଡି.ଗ୍ରେସୀ, ବିଶ୍ୱ ରେକର୍ଡଧାରୀ ପୋଲ ଭୋଲ୍ଟର ଡୁପ୍ଲେଂଟିସ, ୪୦୦ ମିଟର ହର୍ଡଲ୍ସର ବିଶ୍ୱ ଚାମ୍ପିୟନ ସିଡନୀ ମ୍ୟାକଫଲିନ ଅଂଶଗ୍ରହଣ କରିବେ । ଭାରତ ପକ୍ଷରୁ ଅଲିମ୍ପିକ ଚାମ୍ପିୟନ ଜ୍ୟାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଓ ରାଜ୍ୟଗୋଷ୍ଠୀ କ୍ରୀଡା ଟ୍ରିପଲ ଜମ୍ପ ଚାମ୍ପିୟନ ଆଲଡୋସ ପଲ ଅଂଶଗ୍ରହଣ କରିବେ ।

Comments are closed.