ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ବ୍ୟାପୁଛି ଡାଇରିଆ । ଏନେଇ ସୂଚନା ପାଇ ଜିଲ୍ଲା ସ୍ତରୀୟ ଟିମ୍ ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ଗ୍ରାମରେ ତୁରନ୍ତ ପହଞ୍ଚି ଆକ୍ରାନ୍ତ ଲୋକଙ୍କ ଚିକିତ୍ସା କରିବା ସହ ଘରକୁ ଘର ଓଆରଏସ୍ ପ୍ୟାକେଟ୍, ଔଷଧ, ହାଲୋଜେନ୍ ବଟିକା ବଣ୍ଟନ ଆଦି ବଣ୍ଟନ କରିଥିଲେ । ପାନୀୟ ଜଳ ଓ ଝାଡ଼ା ଆଦିର ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିଲା ।
ଆଜି ପୂର୍ବାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ସ୍ଥିତିର ସମୀକ୍ଷା କରି ଦିଗପହଣ୍ଡି ଅଞ୍ଚଳରେ ସଘନ ସଚେତନତା ଓ ବିଶୋଧନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଚିକିତ୍ସା ଓ ପ୍ରତିରୋଧ କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ନିମନ୍ତେ ରାଜ୍ୟ ସ୍ତରରୁ ବିଶେଷଜ୍ଞ ଟିମ୍ ପଠେଇବା ପାଇଁ ନିଷ୍ପତ୍ତି ହୋଇଥିଲା ।
ପାଣିକୁ ଫୁଟେଇ ଥଣ୍ଡା ହେଲା ପରେ ପିଇବା, ଗରମ ସୁଷମ ଖାଦ୍ୟ ଖାଇବା, ବାହାର ଖାଦ୍ୟ ନ ଖାଈବା, ଫାଷ୍ଟ ଫୁଡ୍ ଆଦିକୁ ସମୂର୍ଣ୍ଣ ଭାବେ ବର୍ଜନ କରିବା, ଖାଇବା ପୂର୍ବରୁ ଏବଂ ପରେ ଭଲ ଭାବେ ସାବୁନରେ ଧୋଇ ଖାଇବାକୁ କୁହାଯାଇଛି । ଭୟଭୀତ ନ ହୋଇ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚଳିବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ଆବଶ୍ୟକୀୟ ଔଷଧ, ଇଞ୍ଜେକସନ ସାଲାଇନ୍ ଆଦି ଡାକ୍ତରଖାନା, ସ୍ବାସ୍ଥ୍ୟ ଉପକେନ୍ଦ୍ର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ରଖାଯାଇଛି ବୋଲି ସେ କହିଛନ୍ତି ।
Comments are closed.