Latest Odisha News

ପଟାଙ୍ଗିରେ ବ୍ୟାପିଲା ଡାଇରିଆ, ଦିନକରେ ୧୧ ଜଣ ଆକ୍ରାନ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକରେ ବ୍ୟାପିଲା ଡାଇରିଆ। ଦିନକରେ ୧୧ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତୀର୍ଥଯାତ୍ରାରୁ ଫେରିବା ପରେ ସମସ୍ତେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଗୁଣ୍ଠାପୁଟ ଗାଁର ୧୧ଜଣ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚିଛି।

ସୂଚନା ଅନୁସାରେ ଗୁଣ୍ଠାପୁଟ ଗାଁର ୮ ପରିବାରର ୨୮ ସଦସ୍ୟ ଚଳିତମାସ ୧ ତାରିଖରେ ଅଯୋଧ୍ୟା ବୁଲିବା ପାଇଁ ଯାଇଥିଲେ। ଦର୍ଶନ କରି ଆଜି ସକାଳେ ସମସ୍ତେ ଗାଁରେ ପହଞ୍ଚିଥିଲେ। କିଛି ଘଣ୍ଟା ପରେ ୧୧ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ିଥିଲା। ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ପରେ ଗାଁ ପରିବେଶ ପରିଷ୍କାର ରଖିବାକୁ ଗୁରୁତ୍ବ ଦେଇଛନ୍ତି। ଡାଇରିଆ ବ୍ୟାପିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନି।

ସେହିପରି ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍‌ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛି। ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବା କିଛି ଆକ୍ରାନ୍ତଙ୍କୁ ତୁରନ୍ତ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କର ଚିକିତ୍ସା ଗାଁରେ ହିଁ କରିଥିଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌। ବର୍ତ୍ତମାନ ପରିସ୍ଥିତି କିଭଳି ନିୟନ୍ତ୍ରଣାଧୀନ ରହିବ ତାହାକୁ ପ୍ରାଥମିକତା ଦେଇଛି ସ୍ବାସ୍ଥ୍ୟ ଟିମ୍‌। ଡାଇରିଆ ବ୍ୟାପିବାର କାରଣ ଖୋଜାଯିବ ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି।

Comments are closed.