ମୁମ୍ବାଇ: ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ୍ ଡିଲ୍ ସାମ୍ନାକୁ ଆସିଛି, ଯାହାକି କ୍ରିକେଟ୍ ଜଗତରେ ହଇଚଇ ସୃଷ୍ଟି କରିଛି । ଏହି ଚୁକ୍ତି ଅଧୀନରେ ମୁମ୍ବାଇର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପଞ୍ଜାବ କିଙ୍ଗ୍ସକୁ ଯାଇଥିବାବେଳେ, ଭାରତୀୟ ଦ୍ରୁତ ବୋଲର୍ ଅର୍ଶଦୀପ ସିଂ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗଦେଇଛନ୍ତି । ଏହାପରେ ପ୍ରଶ୍ନ ଉଠୁଥିଲା ଯେ, କ’ଣ ମୁମ୍ବାଇ ପ୍ରକୃତରେ ହାର୍ଦ୍ଦିକଙ୍କୁ ଦଳରୁ ବାହାର କରିବାକୁ ଚାହୁଁଥିଲା ? ୨୦୨୪ରେ ଗୁଜୁରାଟ ଟାଇଟନ୍ସରୁ ଫେରିବା ପରେ ଯେତେବେଳେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ କରାଯାଇଥିଲା ଏବଂ ରୋହିତ ଶର୍ମାଙ୍କୁ ହଟାଯାଇଥିଲା, ସେତେବେଳେ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଷ୍ଟାଡିୟମ୍ ଏବଂ ସୋସିଆଲ ମିଡିଆରେ ହାର୍ଦ୍ଦିକଙ୍କୁ ନେଇ କ୍ରମାଗତ ଚାପ ଏବଂ ଅହେତୁକ ପରିସ୍ଥିତି ସୃଷ୍ଟି ହୋଇଥିଲା, ଯାହା ଦଳର ପ୍ରଦର୍ଶନ ଉପରେ ମଧ୍ୟ ପ୍ରଭାବ ପକାଇଥିଲା ।
ମୁମ୍ବାଇ ଦଳର ବୋଲିଂ ଆକ୍ରମଣକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହୁଁଥିଲା । ଜସପ୍ରୀତ ବୁମ୍ରାଙ୍କ ସହ ଅର୍ଶଦୀପଙ୍କ ଯିବା ଦ୍ୱାରା ମୁମ୍ବାଇର ପେସ୍ ବୋଲିଂ ଅତି ମଜବୁତ ହୋଇଯାଇଛି । ପଞ୍ଜାବ କିଙ୍ଗ୍ସ ମଧ୍ୟକ୍ରମରେ ଜଣେ ଅଭିଜ୍ଞ ଅଲରାଉଣ୍ଡର ଖୋଜୁଥିଲା । ପଞ୍ଜାବ ହାର୍ଦ୍ଦିକଙ୍କୁ ୧୮ କୋଟି ଟଙ୍କାରେ ନିଜ ସହ ଯୋଡ଼ିଛି । ପଞ୍ଜାବକୁ ଯିବା ଦ୍ୱାରା ହାର୍ଦ୍ଦିକଙ୍କ ଉପରୁ କ୍ୟାପ୍ଟେନସିର ଅତିରିକ୍ତ ମାନସିକ ଚାପ ମଧ୍ୟ କିଛି ମାତ୍ରାରେ କମିବ । ରିପୋର୍ଟ ମୁତାବକ, ଟ୍ରେଡ୍ ୱିଣ୍ଡୋ ସମୟରେ ହାର୍ଦ୍ଦିକଙ୍କ ନାମ ଚେନ୍ନାଇ ସୁପର କିଙ୍ଗ୍ସ , କୋଲକାତା ନାଇଟ୍ ରାଇଡର୍ସ ଏବଂ ପୂର୍ବତନ ଦଳ ଗୁଜୁରାଟ ଟାଇଟନ୍ସ ସହ ମଧ୍ୟ ଜଡ଼ିତ ଥିଲା । ହାର୍ଦ୍ଦିକ ନିଜେ ଗୁଜୁରାଟ ଫେରିବାକୁ ଚାହୁଁଥିଲେ, କିନ୍ତୁ ଗୁଜୁରାଟ ତାଙ୍କୁ କେବଳ ଜଣେ ସାଧାରଣ ଖେଳାଳି ଭାବେ ନେବାକୁ ଚାହୁଁଥିଲା । ଶେଷରେ ମୁମ୍ବାଇ ଏବଂ ପଞ୍ଜାବ ମଧ୍ୟରେ ଏକ ଦୀର୍ଘ ଆଲୋଚନା ପରେ ଏହି ବ୍ଲକବଷ୍ଟର ଟ୍ରେଡ୍ ଚୁକ୍ତି ଚୂଡ଼ାନ୍ତ ହୋଇଥିଲା ।
