Latest Odisha News

ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ କି ବିଧାୟକ!

ତିର୍ତ୍ତୋଲ: ତିର୍ତ୍ତୋଲ ବିଧାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ । ଅଭିଯୋଗ ସତ ହୋଇଥିଲେ ଦଣ୍ଡ ବି ମିଳିପାରେ । ଥାନାରେ ମାମଲା ପହଁଚିଥିବାରୁ ଏବେ ବିଜୟ ଶଙ୍କର ଦାସ କି ଉତ୍ତର ଦେଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ପ୍ରେମିକା ସୋମାଲିକାଙ୍କୁ କଥା ଦେଇ ଧୋକା ଦେବା ଅଭିଯୋଗ ହୋଇଛି ।  ବହୁଚର୍ଚ୍ଚିତ ବିତର୍କିତ ପ୍ରେମ କାହାଣୀ ବିବାହ ପୂର୍ବରୁ ଥାନାରେ ପହଁଚିଛି ।

ବିଧାୟକ ବିବାହ କରିଲେନି ସୋମାଲିକାଙ୍କୁ । କଥା ଦେଇଆସିଲେନି ସବରେଜିଷ୍ଠାରଙ୍କ ଅଫିସ । ପ୍ରେମ ପ୍ରତାରଣର ଏ ଏକ ନୂଆ କାହାଣୀ ପୁଣି ଜୋଡିହୋଇଯାଇଛି ଓଡ଼ିଶା ରାଜନୀତିରେ ।  ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଆଉ ସଂପର୍କରେ  ନୂଆ ମୋଡ଼ ଆସିଛି ବିଧାୟକ ବିଜୟ ଶଙ୍କରଙ୍କ ଜୀବନରେ ।

 ଦାମ୍ପତ୍ୟ ଜୀବନ ଆରମ୍ଭ ହେବା ପୂର୍ବରୁ ପୁଣି ଏକ ହାଇପ୍ରୋଫାଇଲ  ଝଡ଼ ଆରମ୍ଭ ଦେଖାଦେଇଛି ଗଣମାଧ୍ୟମରେ । ଦୁଇଜଣଙ୍କ ଫଟୋ କହୁଛି ଅନେକ କଥା । ଅଭିଯୋଗକାରୀ ସୋମାଲିକାଙ୍କ ବକ୍ତବ୍ୟ ଦେଖିଲେ ଲାଗୁଛି ସେ ମଧ୍ୟ ଲଢ଼ିବେ ନ୍ୟାୟ ପାଇଁ ।  ଜଗତସିଂହପୁର ସବ୍‌ରେଜିଷ୍ଟ୍ରାରଙ୍କ ଅଫିସରେ ବିଜୟଙ୍କୁ ଅପେକ୍ଷା କରି ଶେଷରେ ମିଡିଆ ଆଗରେ ମୁହଁ ଖୋଲିଛନ୍ତି ସୋମାଲିକା  । ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ସୁଦ୍ଧା ବିବାହ ପାଇଁ ଆସିବାକୁ ଥିବା ବିଧାୟକଙ୍କ ଦେଖା କାହଁକି ମିଳିଲାନି ତାହା ମଧ୍ୟ ଜଣାପଡିନାହିଁ । ସେପଟେ ମାମଲାକୁ ରଫାଦଫା କରିବାକୁ ଲାଗିଛନ୍ତି ବିଧାୟକ । ତାଙ୍କ ସଂପର୍କୀୟମାନେ ତାଙ୍କୁ ଧମକଚମକ ଦେଉଥିବା  ସୋମାଲିକା ଅଭିଯୋଗ ଆଣିଛନ୍ତି ।

ଏହାକୁ ନେଇ ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଜଗତସିଂହପୁର ସଦର ଥାନାରେ ଏତାଲା ଦେଇଛିନ୍ତି ପ୍ରେମିକା ସୋମାଲିକା। ସେ ବିବାହ କରିବାକୁ କହି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ବିଧାୟକ ଆସି ନଥିବାର ଲିଖିତ ଅଭିଯୋଗ କରିଛନ୍ତି ସୋମାଲିକା।

ସୋମାଲିକାଙ୍କ କହିବା କଥା  ମାସେ ତଳେ  ବିଜୟ ଶଙ୍କର ଓ ସୋମାଲିକା ପରସ୍ପରକୁ ବିବାହ କରିବାକୁ ଜଗତସିଂହପୁର ସବ୍‌ରେଜିଷ୍ଟ୍ରାରଙ୍କ କୋର୍ଟରେ ଆବେଦନପତ୍ର ଦାଖଲ କରିଥିଲେ । ସେଦିନ ଆବଶ୍ୟକତାନୁସାରେ ସବୁ ଦସ୍ତାବିଜ୍‌ରେ ଦସ୍ତଖତ କରିଥିଲେ ।  ଶୁକ୍ରବାର ଉଭୟ ବିବାହ ପାଇଁ ଆସିବାକୁ କଥା ହୋଇଥିଲେ । ମାତ୍ର ଏବେ ବିଧାୟକ ଧରାଛୁଆଁ ଦେଉନାହାଁନ୍ତି । ଖାଲି ଦୁଇଜଣ ଏହି ବିବାହ ପାଇଁ କଥା ହୋଇନଥିଲେ ।  ସୋମଲିକାଙ୍କ କହିବା କଥା, ଗତ ଉଭୟ ପରିବାରବର୍ଗଙ୍କ ଭିତରେ ଆଲୋଚନା ହୋଇଥିଲା ।  କିନ୍ତୁ ବିଧାୟକ ନିଜ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି  ।

୩୦ ଦିନିଆ ବିବାହ  ଅବଧି ସରିବା ପରେ ଏବେ ଥାନାରେ ପହଁଚିଛି ମାମଲା ।  ବାପା ସଂଗ୍ରାମ କିଶୋରୀ ଦାଶ, ନାରୀ ନେତ୍ରୀ ସ୍ନିଗ୍ଧାରାଣୀ ବିଶ୍ୱାଳଙ୍କ ସମେତ ନିଜ ପକ୍ଷର ଆଇନଜୀବୀଙ୍କ ମତାମତ ନେଇ ଏବେ ଆଇନ ଲଢ଼େଇ ଲଢ଼ିବା ପାଇଁ  ପ୍ରସ୍ତୁତ ହେଉଛନ୍ତି ସୋମାଲିକା । ସେପଟେ ବିଧାୟକ ବିଜୟ ଶଙ୍କର ଏ ବିଷୟରେ ମୁହଁ ଖୋଲିନାହାଁନ୍ତି ।  ତାଙ୍କ ମତାମତ ଏ ପ୍ରସଙ୍ଗକୁ ନେଇ ଜଣାପଡିନାହିଁ । ତେବେ ପୋଲିସ ଏଭଳି ମାମଲାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.